ଶ୍ରୀରାମ ମନ୍ଦିର ନିର୍ମାଣରେ ବ୍ୟବହୃତ ହେଉଥିବା ପଥରର ବାରକୋଡିଂ ହେଉଛି

ଅଯୋଧ୍ୟା: ଉତ୍ତର ପ୍ରଦେଶ ଅଯୋଧ୍ୟାରେ ନିର୍ମାଣଧୀନ ଶ୍ରୀରାମ ମନ୍ଦିରର ୨୦ ପ୍ରତିଶତ ଭୂତଳ କାମ ଏବେ ଶେଷ ହୋଇଗଲାଣି। ଏହା ଛଡା ସମ୍ପୂର୍ଣ୍ଣ ମନ୍ଦିରର ୫୦ ପ୍ରତିଶତ କାମ ଏବେ ଶେଷ ହେବା ଉପରେ। ମନ୍ଦିର ନିର୍ମାଣ ଲାଗି ଆବଶ୍ୟକ ହେଉଥିବା ପଥର ରାମଜନ୍ମଭୂମି ପରିସରରେ ଏକତ୍ରୀତ କରାଯାଉଛି। ମନ୍ଦିର ନିର୍ମାଣରେ କେଉଁ ପଥରର କେଉଁଠାରେ ଆବଶ୍ୟକତା ରହିଛି ତାହା ଜାଣିବା ଲାଗି ପଥରରେ ବାରକୋଡିଂ କରାଯାଉଛି। ଯାହା ଦ୍ୱାରା ମନ୍ଦିର ନିର୍ମାଣ କାର୍ଯ୍ୟ କରୁଥିବା ଇଞ୍ଜିନିୟର ବାରକୋଡ ସ୍କାନ କରି ଯେଉଁ ପଥର ଯେଉଁଠାରେ ଦରକାର ସେଠାରେ ଲଗାଉଛନ୍ତି।

ମନ୍ଦିର ଲାଗି ପଥର ରାଜସ୍ଥାନର ବଂଶୀ ପାହାଡ଼ପୁରରୁ ଆସୁଛି। ଏହି ସବୁ ପଥର ପିଙ୍କ ଷ୍ଟୋନ ରାଜସ୍ଥାନର ଖଣିରୁ ସଂଗୃହୀତ ହେଉଛି। ପଥରକୁ ସୁଆଁସ କରିବା ଲାଗି ରାମଜନ୍ମଭୂମିରେ ୱାର୍କସପ୍ ତିଆରି ହୋଇଥିବା ବେଳେ ଯେଉଁଠାରୁ ପଥର ଆସୁଛି ସେଠାରେ ମଧ୍ୟ ଦୁଇଟି ୱାର୍କସପ ଚାଲୁଛି। ଏଠାରେ ପଥର ସାଇଜ ହୋଇ ରାମଜନ୍ମଭୂମିକୁ ପହଞ୍ଚୁଛି। ତେବେ ସବୁ ପଥର ଦେଖିବାକୁ ଏକାପରି ଦେଖାଯାଉଥିବାରୁ କେଉଁ ପଥର କେଉଁସ୍ଥାନରେ ଲାଗିବ ତାହା ଜାଣିବା କଷ୍ଟକର ହେଉଛି।

ଏ ନେଇ ଇଞ୍ଜିନିୟରମାନଙ୍କ ସମସ୍ୟା ଦୂର କରିବା ପାଇଁ ପଥରରେ ବାରକୋଡିଂ କରାଯାଉଛି। ପଥରର ବାରକୋଡ ସ୍କାନିଂ କରି କେଉଁ ମାପର ପଥର କେଉଁ କାନ୍ଥ ପାଇଁ ଆସିଛି ତାହା ଜାଣି ହେଉଛି। ମନ୍ଦିର ନିର୍ମାଣ ପାଇଁ ରାମଜନ୍ମଭୂମିକୁ ୯୦ ପ୍ରତିଶତ ପଥର ପହଞ୍ଚିସାରିଲାଣି। ପଥରଗୁଡିକୁ ଆବଶ୍ୟକତା ସ୍ଥଳରେ ଲଗାଇବା ପାଇଁ ଏକ ସିକ୍ୱେନ୍ସରେ ରଖା ଯାଉଛି। ଏହା ସତ୍ତ୍ୱେ ବି ପଥର ଭ୍ରମ ସୃଷ୍ଟି କରୁଛି। ଏଣୁ ବାରକୋଡିଂ କରାଯାଉଛି।

ଶ୍ରୀ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ପଥରର ଏଥିପାଇଁ ବାରକୋଡ କରାଯାଉଛି ଯାହା ଦ୍ୱାରା ପଥର ଭଣ୍ଡାରଣରେ କେଉଁ ପଥର କେଉଁ ସ୍ଥାନରେ ଲାଗିବା ପାଇଁ ଆସିଛି ଜାଣିବା ସୁବିଧାଜନକ ହେବ ବୋଲି କହିଛନ୍ତି। ପଥର ଲଗାଇବାକୁ ଓ ଉଠାଇବାକୁ ଯେପରି ଅସୁବିଧା ନ ହୁଏ ସେଥି ପାଇଁ ପଥରର ବାରକୋଡ ମଧ୍ୟ କାମରେ ଆସୁଛି। ଏହା ଦ୍ୱାରା ଯେଉଁ ସ୍ଥାନର ପଥର ସେହି ସ୍ଥାନକୁ ପରିବହନ କରି କାନ୍ଥ ଉପରକୁ ଉଠା ଯାଉଛି ବୋଲି କହିଛନ୍ତି।

Related Articles

Back to top button