ଟି-୨୦ ବିଶ୍ବକପ: ଦକ୍ଷିଣ ଆଫ୍ରିକାଠାରୁ ହାରିଲା ଭାରତ
ପର୍ଥ: ଟି-୨୦ ବିଶ୍ବକପ୍-୨୦୨୨ରେ ଦକ୍ଷିଣ ଆଫ୍ରିକାଠାରୁ ହାରି ଭାରତ ନିରାଶ। ମାରାକ୍ରମ ଓ ମିଲରଙ୍କ ଅର୍ଦ୍ଧଶତକ ବଳରେ ୨ଟି ବଲ ବାକି ଥାଇ ୫ ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା। ଭାରତର ସ୍କୋର ୧୩୩/୯ ଏବଂ ଦକ୍ଷିଣ ଆଫ୍ରିକାର ସ୍କୋର ୧୩୭/୬ ରହିଛି। ପର୍ଥ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୧୯.୪ ଓଭରରେ ୫ ୱିକେଟ୍ ହରାଇ ୧୩୭ ରନ୍ କରିଥିଲା। ଏଥିରେ ଐଦେନ୍ ମାର୍କମ ଓ ଡେଭିଡ ମିଲର ଅର୍ଦ୍ଧଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ଐଦେନ ମାରକମ୍ ଦଳ ପାଇଁ ସର୍ବାଧିକ ସ୍କୋର କରିଥିଲେ। ସେ ୪୧ଟି ବଲ୍ ଖେଳି ୫୨ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଡେଭିଡ୍ ମିଲର ଅପରାଜିତ ୫୯ ରନ୍ କରିଥିଲେ। ଆରମ୍ଭରେ ଦକ୍ଷିଣ ଆଫ୍ରିକା ୨୪ ରନ୍ ସଂଗ୍ରହ କରିଥିଲା ବେଳେ କ୍ବିଣ୍ଟନ୍ ଡି’ କକ୍ (୧), ରିଲି ରୋସୋୟୁ (ଶୂନ୍ୟ) ଓ ଅଧିନାୟକ ତେମ୍ବା ବାଭୁମା ୧୦ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଚତୁର୍ଥ ୱିକେଟ୍ରେ ମାରକମ୍ ଓ ମିଲରଙ୍କ ଯୋଡ଼ି ୭୬ ରନ୍ ସଂଗ୍ରହ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ।
ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ୧୩୩ ରନ୍ କରିପାରିଥିଲେ। ଓପନର କେଏଲ୍ ରାହୁଲ ଓ କ୍ୟାପଟେନ୍ ରୋହିତ ଶର୍ମା ପ୍ରତିପକ୍ଷ ପେସ୍ ବୋଲରଙ୍କୁ ସମ୍ମୁଖିନ ହେବାରେ ବିଫଳ ହୋଇଥିଲେ। ସେମାନେ ଯଥାକ୍ରମେ ୯ ରନ୍ ଓ ୧୫ ରନ୍ କରି ଆଉଟ୍ ହୋଇଯାଇଥିଲେ।
ସେହିପରି ବିରାଟ କୋହଲି ମାତ୍ର ୧୨ ରନ୍ କରି ଆଉଟ୍ ହୋଇଥିବାବେଳେ ଦୀପକ ହୁଦା ଓ ମହମ୍ମଦ ସାମି କୌଣସି ରନ ନ କରି ଆଉଟ୍ ହୋଇଥିଲେ। ଦୀନେଶ କାର୍ତ୍ତିକ ୬ ରନ୍, ଅଶ୍ୱିନ ୭ ରନ୍, ଭୁବନେଶ୍ୱର କୁମାର ଯାଦବ ଅପରାଜିତ ୪ ରନ୍ ଓ ଅର୍ଶଦୀପ ସିଂହ ଅପରାଜିତ ୨ ରନ୍ କରିଥିଲେ। ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍ଗିଡି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ୱେନ ପାର୍ଣ୍ଣେଲ୍ ୩ଟି ଓ ଏନ୍ରିଚ୍ ନରତେଜ୍ ଗୋଟିଏ ୱିକେଟ ନେଇଥିଲେ।