ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ହେବ ଚନ୍ଦ୍ରଗ୍ରହଣ

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ। ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ହେବ ଚନ୍ଦ୍ର ଗ୍ରହଣ। ଜ୍ୟୋର୍ତିବିଦଙ୍କ ମତ ଅପରାହ୍ଣ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ସର୍ବମୋକ୍ଷ ହେବ ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ। ତେବେ ଅନ୍ନଭୋଜନ, ପାକ ତ୍ୟାଗ, ଦେବନୀତି ନିଷେଧ ନେଇ ପୁରୀ ଶ୍ରୀମନ୍ଦିର ନୀତି ଓ ପଞ୍ଜିକା ମଧ୍ୟରେ ରହିଥିବା ତ୍ରୁଟିକୁ ନେଇ ଦ୍ବନ୍ଦ୍ବ ଦେଖାଯାଇଛି।
ଶ୍ରୀମନ୍ଦିର ପରିଚାଳନା କମିଟିର ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୨ଟା ୧୦ ମିନିଟରୁ ଦ୍ବାରଫିଟା ସହିତ ନୀତି ଆରମ୍ଭ ହେବ ପ୍ରାତଃ ୫ଟାରେ ଉଠିବ ଭୋଗ ମଣ୍ଡପ। ସୂର୍ଯ୍ୟଦୋୟ ସମୟ ସକାଳ ୫ଟା୪୪ ମିନିଟରୁ ଅନ୍ନଭୋଜନ, ପାକ ଓ ଦେବନୀତି ନିଷେଧ। ପାକତ୍ୟାଗ ସୂର୍ଯ୍ୟଦୋୟରୁ ସନ୍ଧ୍ୟା ୬ଟା୧୯ ମିନିଟ ପର୍ଯ୍ୟନ୍ତ ନିଷେଧ କରାଯାଇଛି। ତେବେ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି ଯେ ଏହି ଦ୍ବନ୍ଦ୍ବ ଦୂର କରିବାକୁ ନଭେମ୍ବର ୧ କିମ୍ବା ୨ ତାରିଖରେ ନୀତି ସବ କମିଟି ଓ ଛତିଶା ନିଯୋଗ ବୈଠକ ବସିବ। ଏହି ବୈଠକରେ କାର୍ତ୍ତିକ ପୂର୍ଣ୍ଣିମାରେ ନୀତି ନିର୍ଘଣ୍ଟ ନେଇ ଆଲୋଚନା ହେବ। ତେବେ ବୈଠକରେ କାର୍ତ୍ତିକ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ବଦଳିପାରେ ବୋଲି ପ୍ରକାଶ କରିଛନ୍ତି।
ପଞ୍ଜିକାରେ ଅନ୍ନଭୋଜ, ପାକ ଓ ଦେବନୀତି ନିଷେଧ ସମ୍ପର୍କରେ ଦିଆଯାଇଥିବା ତଥ୍ୟରେ ତ୍ରୁଟି ରହିଛି ବୋଲି ଅନେକ ଅଭିଯୋଗ କରିଛନ୍ତି। ଏଥିରେ ସକାଳ ୮ଟା ୨୯ରୁ ପାକତ୍ୟାଗ ନିଷେଧ ଉଲ୍ଲେଖ ରହିଛି। ତେବେ କାର୍ତ୍ତିକ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ସୂର୍ଯ୍ୟଦୋୟ ପୂର୍ବରୁ ଡଙ୍ଗା ଭସା କାର୍ଯ୍ୟ ଓ ବୋଇତ ବନ୍ଦାଣ ନୀତି ସମ୍ପାଦନ ପାଇଁ ପରାମର୍ଶ ଦିଆଯଇଛି। ଅପରପକ୍ଷରେ ଶ୍ରୀମନ୍ଦିରରେ ୫ଟା୫୪ ମିନିଟରୁ ନୀତି ବନ୍ଦ ନା ୮ଟା ୨୯ରୁ ନୀତି ବନ୍ଦ ରହିବ ବୋଲି ଦ୍ବନ୍ଦ୍ବ ପ୍ରକାଶ ପାଇଛି।

Related Articles

Back to top button