ମୋର୍ବିର ଝୁଲା ପୋଲ ଭୁଶୁଡ଼ିବା ପରେ ଧବଳେଶ୍ୱର ଝୁଲା ପୋଲରେ କଟକଣା: ଥରକେ ୨୦୦ ଯାତ୍ରୀଙ୍କୁ ଅନୁମତି

କଟକ: ମୋର୍ବିର ଝୁଲା ପୋଲ ଭୁଶୁଡ଼ିବା ଘଟଣା ପରେ ଧବଳେଶ୍ବର ପୋଲ ଉପରେ ପଡ଼ିଲା ପ୍ରଭାବ । ଆଠଗଡ଼ରେ ପ୍ରସିଦ୍ଧ ଧବଳେଶ୍ୱର ଝୁଲା ପୋଲର କ୍ଷମତା କମିଥିବାରୁ ଭକ୍ତଙ୍କ ଯିବାଆସିବା ନେଇ ପ୍ରଶାସନ ଲଗାଇଲେ କଟକଣା । ଝୁଲା ପୋଲ ଉପରେ ଥରକେ ୨୦୦ ଯାତ୍ରୀଙ୍କୁ ଯିବା ଆସିବା କରିବା ପାଇଁ ଦେଲେ ଅନୁମତି । ଏନେଇ ଆଠଗଡ଼ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବଡ଼ଓଷା ସମୟରେ ଧବଳେଶ୍ବରରେ ବ୍ରତଧାରୀଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥାଏ ତେଣୁ ଏହି ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ଯାଞ୍ଚ ପରେ ଧବଳେଶ୍ୱର ଝୁଲା ପୋଲର କ୍ଷମତା କମିଥିବା ଜଣାପଡ଼ିଥିଲା। ପୂର୍ବରୁ ୫୦୦ ରୁ ୬୦୦ ଲୋକ ଯିବାଆସିବା କରୁଥିବା ବେଳେ ପୋଲର କ୍ଷମତା କମିଥିବାରୁ ଥରକେ ୨୦୦ ଯାତ୍ରୀଙ୍କୁ ଯିବା ଆସିବା କରିବା ପାଇଁ ଅନୁମତି ଦିଆଯାଇଛି।

ଉପଜିଲ୍ଲାପାଳ କହିଛନ୍ତି ଯେ, କେବଳ ବଡ଼ଓଷା ବ୍ରତଧାରୀମାନେ ଧବଳେଶ୍ୱର ଆସି ଦର୍ଶନ କରନ୍ତୁ। ସାଧାରଣ ଭକ୍ତମାନେ ନ ଆସନ୍ତୁ, ସେମାନେ ପରେ ଧବଳେଶ୍ୱର ଆସି ଦର୍ଶନ କରିପାରିବେ। ଯେଉଁମାନେ ଧବଳେଶ୍ୱର ଆସୁଛନ୍ତି ଶାନ୍ତିଶୃଙ୍ଖଳା ସହ ଦର୍ଶନ କରନ୍ତୁ, ପୁଲିସର ନିର୍ଦ୍ଦେଶ ମାନି ଚଳନ୍ତୁ।

ଗତକାଲି କୋଲକାତାର ଏକ ଟିମ୍ ଆସି ପୋଲର ସୁରକ୍ଷା ନେଇ ଯାଞ୍ଚ କରିଥିଲେ। ଟିମ୍‌ ଯାଞ୍ଚ ପରେ ଧବଳେଶ୍ଵରଙ୍କ ଝୁଲାପୋଲ ସେତୁର କ୍ଷମତା କମିଥିବା ସୂଚନା ଦେଇଥିଲେ। ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Related Articles

Back to top button