ଗୁଜରାଟର ମୋରବିରେ ଝୁଲନ୍ତାପୋଲ ଭୁଶୁଡିବା ଘଟଣାରେ ୯ ଗିରଫ, ସଂଖ୍ୟା ବଢିବା ଆଶଙ୍କା

ମୋରବି: ଗୁଜରାଟର ମୋରବିରେ ଝୁଲନ୍ତାପୋଲ ଭୁଶୁଡିବା ଘଟଣାରେ ଏ ପର୍ଯ୍ୟନ୍ତ ୧୪୦ରୁ ଉର୍ଦ୍ଧ୍ଵ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ସାତ ମାସର ମରାମତି ପରେ ବିନା ଫିଟନେସ୍ ପ୍ରମାଣ ପତ୍ରରେ କେମିତି ପୋଲ ଖୋଲିବାକୁ ଅନୁମତି ଦିଆଗଲା ସେ ନେଇ ପ୍ରଶ୍ନ ଉଠିଛି। ଘଟଣାରେ ଏ ପର୍ଯ୍ୟନ୍ତ ନଅ ଜଣଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଏହି ନଅ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଥିବା ଜଣା ପଡିଥିଲା। ଗିରଫକାରୀଙ୍କ ମଧ୍ୟରେ ଓରେଭା କମ୍ପାନିର ୨ ମ୍ୟାନେଜର, ୨ ଟିକେଟ୍ କ୍ଲର୍କ, ୩ ସିକ୍ୟୁରିଟି ଗାର୍ଡ ଏବଂ ୨ ମରାମତି କଣ୍ଟ୍ରାକ୍ଟର ସାମିଲ୍। ଆହୁରି ଲୋକ ଗିରଫ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ ଏସଆଇଟି ନିଜର ତଦନ୍ତ ଆରମ୍ଭ କରି ଦେଇଛି।

ସୂତ୍ର ଅନୁଯାୟୀ, ବାସ୍ତବରେ ଯେଉଁ କମ୍ପାନିକୁ ପୋଲର କଣ୍ଟ୍ରାକ୍ଟ ଦିଆଯାଇଥିଲା, ଉକ୍ତ କମ୍ପାନି ଅନ୍ୟ ଏକ ଓରେଭା ନାମକ କମ୍ପାନିକୁ ରକ୍ଷଣାବେକ୍ଷଣ ଦାୟିତ୍ଵ ହସ୍ତାନ୍ତର କରିଥିଲା। ଆଉ ଏହି ତୃତୀୟ କମ୍ପାନି ନିୟମର ଖୋଲାଖୋଲି ଉଲ୍ଲଂଘନ କରିଥିବା ଜଣା ପଡିଛି। ପୋଲର ସୁରକ୍ଷା  ମାନଦଣ୍ଡ ନପରଖି ଏବଂ ମୋରବି ନଗର ପାଳିକାର ଏନଓସି ବିନା ଝୁଲାପୋଲକୁ ସାଧାରଣ ଲୋକଙ୍କ ପାଇଁ ଖୋଲି ଦେଇଥିଲା। ଆଉ ଏବେ ବଡ ଅଘଟଣା ଘଟିଗଲା। ଦୁଃଖଦାୟକ ଘଟଣା ପାଇଁ ତୃତୀୟ କମ୍ପାନିକୁ ସଂପୂର୍ଣ୍ଣ ରୂପେ ଦାୟୀ କରାଯାଇଛି। ଘଟଣା ପରଠୁ କମ୍ପାନିର ଅନେକ ଅଧିକାରୀ ଫେରାର ମାରିଛନ୍ତି।

ବିଡମ୍ବନାର କଥା ଯେଉଁ କମ୍ପାନି ପୋଲର ରକ୍ଷଣାବେକ୍ଷଣ ଦାୟିତ୍ଵ ବୁଝୁଥିଲା ତାର କୌଣସି କାମ କରିବାର ରେକର୍ଡ ବି ନାହିଁ।  ପୋଲିସ ଅନୁଯାୟୀ, ବିନା ଫିଟନେସ୍ ସାର୍ଟିଫିକେଟ୍‌ରେ ଝୁଲାପୋଲକୁ ଲୋକଙ୍କ ପାଇଁ ଖୋଲି ଦିଆଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସରେ କମ୍ପାନିକୁ ଏହି ଐତିହାସିକ ପୋଲର ମରାମତି ଦାୟିତ୍ଵ ହସ୍ତାନ୍ତର କରାଯାଇଥିଲା। ମରାମତି ପାଇଁ ସାତ ମାସ ପୋଲକୁ ବନ୍ଦ ରଖାଯାଇଥିଲା। ତେବେ ପାଞ୍ଚ ଦିନ ପୂର୍ବେ ପୋଲକୁ ସାଧାରଣ ଲୋକଙ୍କ ପାଇଁ ଖୋଲି ଦିଆଯାଇଥିଲା।

ପୋଲର ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ଅତି କମରେ ଆଠରୁ ୧୨ ମାସ ସମୟ ନିର୍ଦ୍ଧାରଣ କରାଯାଇଥିଲା। ଏ ନେଇ ମୋରବି ନଗର ପାଳିକା ଏବଂ ଅଜନ୍ତା ମ୍ୟାନୁଫେକଚରିଂ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ୧୫ ବର୍ଷିଆ ଚୁକ୍ତି ହୋଇଥିଲା। ୨୦୩୭ ଯାଏଁ ଓରେଭା ଏହି ଦାୟିତ୍ଵ ନେଇଥିଲା। ପୋଲିସ ଉପରେ ୧୫୦ ଜଣଙ୍କ ଯିବା କ୍ଷମତା ଥିବା। କିନ୍ତୁ ରବିବାର ଏକ ସଙ୍ଗେ ୫୦୦ ଲୋକ ପୋଲ ଉପରେ ଯିବା ଆସିବା କରିଥିଲେ। ଗତକାଲି ୧୨ ଟଙ୍କିଆ ଟିକେଟ୍‌କୁ ୧୭ ଟଙ୍କାରେ ବିକ୍ରି କରାଯାଇଥିଲା।

Related Articles

Back to top button