୭୦ ବର୍ଷ ବୟସରେ ସିଭିଲ ଡିପ୍ଲୋମା ପରୀକ୍ଷାରେ ଟପ୍ପର

ବେଙ୍ଗାଲୁରୁ: ଯଦି ଇଚ୍ଛା ଦୃଢ ଇଚ୍ଛା ଶକ୍ତି ଥିବ ତେବେ ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ। ଆଉ ବୟସ ତ ନିମିତ୍ତ ମାତ୍ର। ଆଉ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି କର୍ଣ୍ଣାଟକର ଉତ୍ତର କନ୍ନଡ ଅଞ୍ଚଳର ୭୦ ବର୍ଷୀୟ ଜଣେ ବୃଦ୍ଧ। ରାଜ୍ୟରେ ୨୦୨୨ ସିଭିଲ ଡିପ୍ଲୋମା ପରୀକ୍ଷାରେ ସେ ଟପ୍ପର ହୋଇଛନ୍ତି। କିନ୍ତୁ ବୟସ ଅଧିକ ହୋଇଥିବାରୁ ତାଙ୍କୁ ଅନେକ ପୋଲିଟେକ୍ନିକ ଇନଷ୍ଟିଚ୍ୟୁଟ୍ ଅର୍ଥାତ ଇଞ୍ଜିନିୟରିଂ କଲେଜ୍‌ଗୁଡିକ ନାମ ଲେଖାଇବାକୁ ଅନୁମତି ଦେଇନଥିଲେ।

ବୃଦ୍ଧଙ୍କ ନାମ ହେଉଛି ନାରାୟଣ ଏସ ଭଟ୍ଟ। ଶେଷରେ ତାଙ୍କୁ ଉତ୍ତର କନ୍ନଡର ଶିରସି  ଆରଏନ ସେଟ୍ଟି ପୋଲିଟେକ୍ନିକ  କଲେଜ୍‌ରେ ନାମ ଲେଖାଇବାକୁ ସୁଯୋଗ ମିଳିଛି। ଏବେ ସେ ନିଜ ବ୍ୟାଚ୍‌ର ପିଲାଙ୍କ ସହ କ୍ଲାସ୍‌ କରୁଛନ୍ତି, ଯାହାଙ୍କର ବୟସ ହାରାହାରି ୧୭ ବର୍ଷ ରହିଛି। ଅର୍ଥାତ ନାରାୟଣ ନିଜ ନାତିଙ୍କ ବୟସର ପିଲାଙ୍କ ସହ ପାଠ ପଢୁଛନ୍ତି।

ନିଜ କ୍ୟାରିୟରରେ ସିଭିଲ ଇଞ୍ଜିନିୟରିଂ ଏବଂ ଏହା ସମ୍ବନ୍ଧିତ ବୈଷେୟିକ କ୍ଷେତ୍ରର ଘରୋଇ କମ୍ପାନିରେ କାମ କରିଛନ୍ତି। ନିଜର ଚାକିରି ଜୀବନର ଅଧିକାଂଶ ସମୟ ସେ ଗୁଜରାଟ ଏବଂ କର୍ଣ୍ଣାଟକରେ କଟାଇଛନ୍ତି। ଶେଷରେ  ନିଜର ଘରୋଇ ସହର ଶିରସି ଫେରିଛନ୍ତି।  ହେଲେ ସିଭିଲ ଇଞ୍ଜିନିୟରିଂରେ ଜ୍ଞାନ ଆହରଣ କରିବା ଏବଂ କିଛି ନୂଆ ଶିଖିବାର କ୍ଷୁଧା ତାଙ୍କ ମନରୁ ମେଣ୍ଟିନଥିଲା। କିଛି ବର୍ଷ ପୂର୍ବେ ଅର୍ଥାତ କରୋନା ମହାମାରୀ ପୂର୍ବରୁ ସେ ପୁଣି ଥରେ ସିଭିଲ ଇଞ୍ଜିନିୟରିଂରେ ପାଠ ପଢିବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ତାଙ୍କର ବୟସ ଥିଲା ୬୬ ବର୍ଷ। ବୟସ ସୀମା ଅତିକ୍ରମ କରି ସାରିଥିବାରୁ ଅନେକ ଇଞ୍ଜିନିୟରିଂ କଲେଜ୍ ନାମ ଲେଖାଇବାକୁ ଅନୁମତି ଦେଇନଥିଲେ।

ତେବେ ୨୦୨୨ ସିଭିଲ ଡିପ୍ଲୋମା ପରୀକ୍ଷାରେ ନିଜର ଅଧ୍ୟବସାୟ ବଳରେ ଟପ୍ପର ହୋଇଥିଲେ। ଶେଷରେ ତାଙ୍କୁ ଶିରସି ସ୍ଥିତ ପୋଲିଟେକ୍ନିକ କଲେଜ୍‌ରେ ନାମ ଲେଖାଇବାକୁ ଅନୁମତି ମିଳିଛି। ବୟସର ଅପରାହ୍ନରେ ପହଞ୍ଚି ସାରିଥିଲେ ସୁଦ୍ଧା ନାରାୟଣ ବିନା ସଙ୍କୋଚରେ ନିୟମିତ କଲେଜ୍ ଯାଉଛନ୍ତି ଏବଂ ପ୍ରାକ୍ଟିକାଲ କ୍ଲାସ୍‌କୁ କେବେ ହାତଛଡା କରୁ ନାହାନ୍ତି। ଭଟ୍ଟଙ୍କ ଅନୁଯାୟୀ, ଛାତ୍ରମାନେ ବି ବିନା ସଙ୍କୋଚରେ ବୟସ ଭେଦଭାବ ନଦେଖି ତାଙ୍କ ସହ ଭଲ ମିଶୁଛନ୍ତି। ସିଭିଲ ଇଞ୍ଜିନିୟରିଂ ବିଷୟରେ ଯାହା ବି କିଛି ଅଭିଜ୍ଞତା ଏବଂ ଅନୁଭବ ରହିଛି ଛାତ୍ରଙ୍କ ସହ ଭାବ ବିନିମୟ କରୁଛନ୍ତି। ବେଳେ ବେଳେ ସେ ଅବିଭାବକ ଦାୟିତ୍ଵ ତୁଲାଇଥାନ୍ତି। ଛାତ୍ରମାନେ ତାଙ୍କୁ ବେଶ ସ୍ନେହ ଶ୍ରଦ୍ଧା କରୁଥିବା ନାରାୟଣ କହିଛନ୍ତି।

Related Articles

Back to top button