୫ ରନରେ ବାଂଲାଦେଶକୁ ପରାସ୍ତ କଲା ଭାରତ

ଆଡିଲେଡ: ଏକ ରୋମାଞ୍ଚକ ମୁକାବିଲାରେ ଭାରତ ୫ ରନରେ ବାଂଲାଦେଶକୁ ପରାସ୍ତ କରିଛି। ଏଥିସହ ଭାରତ ସେମିର ନିକଟତର ହୋଇଛି। କିଛି ଅବିଶ୍ୱସନୀୟ ଘଟଣା ନ ଘଟିଲେ ଭାରତ ସେମିରେ ପ୍ରବେଶ କରିବ। ବର୍ଷା ଯୋଗୁ ଏହି ମ୍ୟାଚରେ ଡକ୍ୱୱର୍ଥ ଲୁଇସ ନିୟମ ଲାଗୁ କରାଯାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି ଚମତ୍କାର ଅପରାଜିତ ଅର୍ଦ୍ଧଶତକ(୬୪ରନ), କେଏଲ ରାହୁଲଙ୍କ ୫୦ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ୩୦ ରନ ସହାୟତାରେ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ କରିଥିଲା। ୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ବ୍ୟାଟ୍ସମ୍ୟାନ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ୭ ଓଭରରେ ଦଳ ୬୬ ରନ ସଂଗ୍ରହ କରି ନେଇଥିଲା। ଏହା ପରେ ବର୍ଷା ହୋଇଥିଲା। ବର୍ଷା ଯୋଗୁ ବାଂଲାଦେଶ ସମ୍ମୁଖରେ ରିଭାଇଜଡ ଟାର୍ଗେଟ ୧୬ ଓଭରରେ ୧୫୧ ରନ ରଖାଯାଇଥିଲା।

ଲିଟନ ଦାସ ୬୦ ରନ କରି ଆଉଟ ହେବା ପରେ ଭାରତୀୟ ବୋଲର ବାଂଲାଦେଶୀ ବ୍ୟାଟ୍ସମ୍ୟାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଶେଷ ଓଭରରେ ବିଜୟ ପାଇଁ ବାଂଲାଦେଶକୁ ୨୦ ରନ ଆବଶ୍ୟକ ହେଉଥିଲା। ଅର୍ଶଦୀପ ସିଂଙ୍କ ଏହି ଓଭରରେ ସେମାନେ ୧୪ ରନ କରିବାରେ ସଫଳ ହୋଇଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ। ପ୍ରଭାବୀ ପ୍ରଦର୍ଶନ ପାଇଁ କୋହଲି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Related Articles

Back to top button