ନଭେମ୍ବର ୩ ତାରିଖରେ ରାଜା ରାଜ ଚୋଳଙ୍କ ଜନ୍ମ ବାର୍ଷିକୀକୁ ତେଲେଙ୍ଗାନାରେ ସରକାରୀ କାର୍ଯ୍ୟକ୍ରମ ଭାବରେ ପାଳନ କରାଯିବ

ହାଇଦ୍ରାବାଦ: ରାଜା ରାଜ ଚୋଳଙ୍କ ଜନ୍ମବାର୍ଷିକୀକୁ ଏବେ ସରକାରୀ କାର୍ଯ୍ୟକ୍ରମ ଭାବରେ ପାଳନ କରାଯିବ। ଏହି ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ସରକାର। ପ୍ରତିବର୍ଷ ନଭେମ୍ବର ୩ ତାରିଖରେ ଏହି ଦିନ ପାଳନ କରାଯିବ ବୋଲି ତେଲେଙ୍ଗାନା ସରକାର ଘୋଷଣା କରିଛନ୍ତି।

ଚୋଳ ଶାସନ ସମୟରେ ରାଜା ରାଜ ଚୌଳ ଜଣେ ଲୋକପ୍ରିୟ ଶାସକ ଥିଲେ। ଯାହାଙ୍କ କାହାଣୀ ନେଇ ଲୋକପ୍ରିୟ ତେଲଗୁ ନିର୍ଦ୍ଦେଶକ ମଣିରତ୍ନମ ପୋନ୍ନିୟନ ସେଲଭନ-୧ ଫିଲ୍ମ ନିର୍ମାଣ କରିଛନ୍ତି। ଏହି ସିନେମା ଏବେ ଦେଶ ବିଦେଶର ଜବରଦସ୍ତ ଆୟ କରୁଛି। ଏହି ସିନେମାରେ ଏଶ୍ୱର୍ଯ୍ୟା ରୟ ବଚ୍ଚନ, ତ୍ରିଶା ଏବଂ ବିକ୍ରମ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମଟି ମାତ୍ର କିଛି ସପ୍ତାହ ଭିତରେ ୪୫୦ କୋଟି ଆୟ କରିଥିବା ବେଳେ ଏବେ ବି ସିନେମା ଘରେ ଏହାର ଜଲୱା ଜାରି ରହିଛି।

ନିକଟରେ ରାଜା ରାଜ ଚୋଳଙ୍କ ନାଁକୁ ନେଇ ବିବାଦ ସୃଷ୍ଟିି ହୋଇଥିଲା। ଫିଲ୍ମ ନିର୍ଦ୍ଦେଶକ ଭେତ୍ରିମାରନ ରାଜ ରାଜ ଚୋଳ ହିନ୍ଦୁ ନଥିଲେ ବୋଲି କହିଥିଲେ। ସେ କହିଥିଲେ “ରାଜରାଜ ଚୋଳ ହିନ୍ଦୁ ନଥିଲେ। କିନ୍ତୁ ସେମାନେ(ବିଜେପି) ଆମ ପରିଚୟ ଛଡ଼ାଇ ନେବାକୁ ଚାହୁଁଛନ୍ତି। ସେମାନେ ପୂର୍ବରୁ ହିଁ ଥିରୁଭଲ୍ଲୁଭରର ଗେରୁଆକରଣ କରିବାକୁ ଚେଷ୍ଟା କରିସାରିଛନ୍ତି। ଆମେ ଏହାକୁ ଅନୁମତି ଦେବା ଉଚିତ ନୁହେଁ।”

କାର୍ଯ୍ୟକ୍ରମରେ କମଲ ହସନ ମଧ୍ୟ ଉପସ୍ଥିତ ଥିଲେ। ସେ ଭେତ୍ରିମାରନଙ୍କ ମନ୍ତବ୍ୟକୁ ସମର୍ଥନ କରି କହିଥିଲେ “ରାଜରାଜା ଚୋଳଙ୍କ ସମୟରେ ହିନ୍ଦୁ ଧର୍ମ ନାଁ ନଥିଲା। ସେତେବେଳେ ବୈଷ୍ଣବମ, ଶୈବମ ଓ ସମାନମ ଥିଲେ। ତେବେ ବ୍ରିଟିସ ହିଁ ‘ହିନ୍ଦୁ’ ଶବ୍ଦର ବ୍ୟବହାର କରିଥିଲେ। କାରଣ ସମସ୍ତଙ୍କୁ ଗୋଟିଏ ନାଁରେ କେମିତି ସମ୍ବୋଧନ କରିବେ ବ୍ରିଟିସରମାନେ ଜାଣିପାରୁ ନଥିଲେ। ଠିକ୍ ଯେମିତି ଥୁଥୁକୁଡିର ନାମ ବଦଳାଇ ତୁତିକୁରିନ କରିଥିଲେ ସେମିତି।”

ମଣିରତ୍ନମଙ୍କ ଫିଲ୍ମ ପୋନ୍ନିୟିନ୍ ସେଲଭନ-୧ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଥିଲା ରାଜା ରାଜ ଚୋଳଙ୍କ ଶାସନ ସମୟ ଉପରେ ପର୍ଯ୍ୟବେଶିତ ଏକ ଉପନ୍ୟାଶର କାହାଣୀକୁ ନେଇ ଫିଲ୍ମଟି ତିଆରି ହୋଇଛି। ଏହା ଉପରେ ହୋଇଥିବା ଏକ ଚର୍ଚ୍ଚାକୁ ନେଇ ନିର୍ଦ୍ଦେଶକ ଭେତ୍ରିମାରନ ଏଭଳି ମନ୍ତବ୍ୟ ଦେଇଥିଲେ।

ଭେତ୍ରିମାରନଙ୍କର ଏଭଳି ମନ୍ତବ୍ୟର ଜବାବ ଦେଇଥିଲେ ବିଜେପି ନେତା ଏଚ୍ ରାଜା। ସେ କହିଛନ୍ତି ଯେ ରାଜାରାଜ ଚୋଳ ବାସ୍ତବରେ ହିନ୍ଦୁ ରାଜା ଥିଲେ। ଭେତ୍ରିମାରନଙ୍କ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି “ମୁଁ ଭେତ୍ରିମାରନଙ୍କ ଭଳି ଭଲଭାବରେ ଇତିହାସ ଜାଣିନି। ତେବେ ସେ ରାଜାରାଜ ଚୋଳଙ୍କ ଦ୍ୱାରା ନିର୍ମିତ ଦୁଇଟି ମସ୍‌ଜିଦ୍ ଓ ଚର୍ଚ୍ଚ ବିଷୟରେ ଆଲୋଚନା କରିବା ଦରକାର। ସେ ନିଜକୁ ଶିବପଦ ସେକରନ ବୋଲି କହିଥିଲେ। କଣ ସେ ହିନ୍ଦୁ ନଥିଲେ?”

ତେବେ ରାଜାରାଜ ଚୋଳକୁ ନେଇ ତାମିଲନାଡୁରେ ଏଭଳି ବିବାଦ ଉଠିବା ପ୍ରଥମ ଘଟଣା ନୁହେଁ। ୨୦୧୯ରେ ଫିଲ୍ମ ନିର୍ଦ୍ଦେଶକ ପିଏ ରଞ୍ଜିତ୍ ଚୋଳ ରାଜରାଜା ସମାଲୋଚନା କରି ବିବାଦକୁ ଆସିଥିଲେ। ଏହି ରାଜାଙ୍କ ଶାସନ ସମୟ ଦଳିତମାନଙ୍କ ପାଇଁ ଅନ୍ଧକାରର ଯୁଗ ଥିଲା। ରାଜରାଜା ଚୋଳଙ୍କ ସମୟରେ ଦଳିତଙ୍କ ଜମି ହଡ଼ପ କରି ଲୋକମାନଙ୍କର ଜାତି ପରିବର୍ତ୍ତନ କରାଯାଉଥିଲା ବୋଲି ପିଏ ରଞ୍ଜିତ କହିଥିଲେ।

Related Articles

Back to top button