ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘର ନିଷ୍ପତ୍ତି: ପ୍ରତି ବୁଧବାର ସମ୍ବଲପୁରରେ ସରକାରୀ ଅଫିସ ବନ୍ଦ

ସମ୍ବଲପୁର: ଜୋର ଧରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିକଟରୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ମାଗିଛନ୍ତି। ହେଲେ ରାଜ୍ୟ ସରକାର ଏହି ରିପୋର୍ଟ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏହାକୁ ବିରୋଧ କରିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ। ତେଣୁ ଆଜି କୋର୍ଟ ଆଗରେ ପ୍ରତିବାଦ କରିଥିଲେ ଜିଲ୍ଲାର ଆଇନଜୀବୀ।

ସରକାର ଏବଂ ସଂପୃକ୍ତ ଅଧିକାରୀଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଜିଲ୍ଲା ଓକିଲ ସଂଘ ସମସ୍ତ ସରକାରୀ କାର୍ୟ୍ୟାଳୟ ଏବଂ କୋର୍ଟ ବନ୍ଦ କରିଦେଇଥିଲା। ଓକିଲମାନେ କୋର୍ଟ ବନ୍ଦ କରିବା ପରେ ସମ୍ବଲପୁର କୋର୍ଟର ବିଚାରପତି ଆସି ତାଙ୍କୁ ବୁଝାସୁଝା କରିଥିଲେ। ହେଲେ ଓକିଲ ସଂଘ ଜିଦରେ ଅଟଳ ରହିବା ପରେ ସେ ଘରକୁ ଫେରିଯାଇଥିଲେ।

ଜିଲ୍ଲା ଓକିଲ ସଂଘ କହିଛି, ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ ଏଣିକି ପ୍ରତି ସପ୍ତାହରେ କୋର୍ଟ ଏବଂ ସରକାରୀ କାର୍ୟ୍ୟାଳୟ ବନ୍ଦ କରାଯିବ। ପୂର୍ବରୁ ଦାବି ନେଇ ସମସ୍ତ ପ୍ରକାର ପଦକ୍ଷେପ ସଂଘ ନେଇଛି। ଏମିତିକି ଲୋକସେବା ଭବନରେ ମଧ୍ୟ ଏ ସଂକ୍ରାନ୍ତରେ ବୈଠକ ହୋଇଥିଲା। କିନ୍ତୁ ଦାବିକୁ ନେଇ ଯେଉଁଭଳି କୁହାଯାଇଥିଲା ତାହା ହେଉନାହିଁ ତେଣୁ ସଂଘ ବାଧ୍ୟ ହୋଇ ଏପରି ଏକ ଉପାୟ ଆପଣାଇଛି।

ତେବେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ କାର୍ୟ୍ୟାଳୟ, ବ୍ୟାଙ୍କ ଏବଂ ବୀମା କମ୍ପାନୀ ଏବଂ ସ୍କୁଲ ଏବଂ କଲେଜଗୁଡ଼ିକ ଖୋଲା ରହିବ ବୋଲି ସୂଚନା ରହିଛି। ସଂଘର ସଦସ୍ୟ ଆଜି କାଚେରୀ ଛକରେ ପିକେଟିଂ କରି କରିବା ବେଳେ ଅନେକ ସାମାଜିକ ସଂଗଠନ ଏବଂ ସାଧାରଣ ଲୋକ ସମର୍ଥନ କରିଥିବା ଦେଖିବାକୁ ମିଳିଛି। ହେଲେ ଦୋକାନ ଏବଂ ଯାନବାହାନ ଚଳାଚଳ ବ୍ୟାହାତ ହୋଇନଥିଲା।

Related Articles

Back to top button