ନିଜ ନିକାହ ଶେଷ କରିବାର ଅଧିକାର ମୁସଲମାନ ମହିଳାଙ୍କ ଅଛି, ହାଇକୋର୍ଟଙ୍କ ରାୟ ଗ୍ରହଣଯୋଗ୍ୟ ନୁହେଁ -ମୁସଲିମ ପର୍ସନଲ ଲ’ ବୋର୍ଡ
ନୂଆଦିଲ୍ଲୀ: ଚଳିତ ସପ୍ତାହ ଆରମ୍ଭରେ କେରଳ ହାଇକୋର୍ଟ ଦେଇଥିବା ଏକ ରାୟ ଉପରେ ଆପତ୍ତି ଉଠାଇଛି ଅଲ ଇଣ୍ଡିଆ ମୁସଲିମ ପର୍ସନଲ ଲ’ ବୋର୍ଡ । ନିଜ ବିବାହ ସ୍ୱୟଂ ଶେଷ କରିବାର ଅଧିକାର ମୁସଲମାନ ମହିଳାଙ୍କ ଅଛି ଏବଂ ଏଥିପାଇଁ ତାଙ୍କ ସ୍ୱାମୀଙ୍କ ସହମତିର ଅବଶ୍ୟକତା ନଥିବା ହାଇକୋର୍ଟ କହିଥିଲେ।
ପର୍ସନଲ ଲ’ ବୋର୍ଡର ସାଧାରଣ ସମ୍ପାଦକ ମୌଲାନା ଖାଲିଦ ସୈଇଫୁଲ୍ଲା ରେହମାନି ଏକ ବୟାନରେ କହିଛନ୍ତି, ଏହି ନିର୍ଦ୍ଦିଷ୍ଟ ମାମଲାରେ ହାଇକୋର୍ଟ ସରିଆ ପ୍ରାବଧାନ କଥା ଉଲ୍ଲେଖ କରିନାହାନ୍ତି ବରଂ ଏହା ଉପରେ ଆଇନ ଆଣିବା ପାଇଁ ପ୍ରୟାସ କରିଛନ୍ତି, ବୋର୍ଡ ପାଇଁ ଏହା ଗ୍ରହଣ ଯୋଗ୍ୟ ନୁହେଁ।
ରେହମାନି କହିଛନ୍ତି, ଇସଲାମରେ ଛାଡପତ୍ର ପାଇଁ ଚାରଟି ବ୍ୟବସ୍ଥା ରହିଛି । ଗୋଟିଏ ଟ୍ରିପଲ ତଲାକ । ଏଥିରେ ଛାଡପତ୍ର ପାଇଁ ସ୍ୱାମୀଙ୍କୁ ଅଧିକାର ଦିଆଯାଇଛି । ଦ୍ୱିତୀୟଟି ହେଉଛି ଖୁଲା । ଏଥିରେ ଛାଡ୍ରପତ୍ର ପ୍ରସ୍ତାବ ସ୍ତ୍ରୀ ଆଣିଥାନ୍ତି, ସ୍ୱାମୀଙ୍କ ଜ୍ଞାତକୁ ଆସିବା ପରେ ଏହା ସଫଳ ହୋଇଥାଏ । ତୃତୀୟଟି ହେଉଛି ତାଲଖ-ଇ-ତଫୱିଜ୍ । ଏଥିରେ ଭାବି ପତ୍ନୀ ବିବାହ ଚୁକ୍ତିନାମାରେ ଉଲ୍ଲେଖ କରିଥାଏ ଯେ, ଯଦି ତା ସହ ଅମାନବୀୟ ବ୍ୟବହାର ହୁଏ କିମ୍ୱା ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଏ ତେବେ ସେ ନିଜ ସ୍ୱାମୀଙ୍କ ବିନା ସହମତିରେ ମଧ୍ୟ ଅଲଗା ହୋଇପାରିବେ । ଚତୁର୍ଥ ବିକଳ୍ପ ହେଉଛି କାଜି ବା କୋର୍ଟରେ ।
ଏହା ବ୍ୟତିତ ସରିଆରେ ଛାଡପତ୍ରର ଅନ୍ୟ କୌଣସି ବିକଳ୍ପ ନାହିଁ । ନିକଟରେ ହାଇକୋର୍ଟ ମୁସଲିମ ବିବାହ ଅଧିନିୟମ, ୧୩୩୯ ଅନୁଯାୟୀ ପତ୍ନୀଙ୍କ ଛାଡପତ୍ରକୁ ଚ୍ୟାଲେଞ୍ଜ କରି ସ୍ୱାମୀଙ୍କ ଏକ ଆବେଦନକୁ ଖାରଜ କରିଥିଲେ ।
ଜଷ୍ଟିସ ମହମ୍ମଦ ମୁସ୍କାକ ଏବଂ ସିଡି ଜାୟସଙ୍କ ଖଣ୍ଡପୀଠ କହିଥିଲେ, ବିବାହ ଶେଷ କରିବା ପାଇଁ ଜଣ ମୁସଲମାନ ପତ୍ନୀଙ୍କ ଅଧିକାର ଅଛି ଏବଂ ଏହା କୁରାନ ଅନୁସାରେ ଅଛି । ଏହି ପଦକ୍ଷେପକୁ ସ୍ୱୀକାର କିମ୍ୱା ଅସ୍ୱୀକାର କରିବା ସ୍ୱାମୀଙ୍କ ନିଷ୍ପତ୍ତିରେ ପ୍ରଭାବିତ ହୋଇପାରିବ ନାହିଁ । ଏହାସହ ହାଇକୋର୍ଟ କହିଥିଲେ,‘ଏହା ମୌଲାନାଙ୍କ ରାୟ ଆଗରେ ଆତ୍ମସମର୍ପଣ କରିବ ନାହିଁ, ଯେଉଁମାନଙ୍କ ପାଖରେ ଆଇନର କୌଣସି ପ୍ରଶିକ୍ଷଣ ନାହିଁ । ବିଶ୍ୱାସ ଏବଂ ପରମ୍ପରା ଉପରେ ସେମାନଙ୍କ ମତ କୋର୍ଟରେ ଗୁରୁତ୍ୱ ରଖେ ଏଥିରେ କୌଣସି ସନ୍ଦେହ ନାହିଁ ଏବଂ କୋର୍ଟ ସେମାନଙ୍କ ଠାରୁ ଭିନ୍ନ ମତ ମଧ୍ୟ ରଖିପାରନ୍ତି’।
ଅବେଦନକାରୀ ସ୍ୱାମୀ ଅଭିଯୋଗ ଆଣିଥିଲେ ଯେ ମୁସଲିଲ ମହିଳାଙ୍କୁ ଛାଡ୍ରପତ୍ର ଦାବି କରିବାର ଅଧିକାର ରହିଛି । ତେବେ ଖୁଲା ପାଇଁ ତାଙ୍କ ପାଖରେ ସମ୍ପୂର୍ଣ୍ଣ ଅଧିକାର ନାହିଁ ।