ପୁଣିଥରେ ବଡ଼ ମାତ୍ରାରେ କର୍ମଚାରୀଙ୍କ ଛଟେଇ କଲା ଅନଲାଇନ୍ ଶିକ୍ଷା ଯୋଗାଉଥିବା କମ୍ପାନୀ ଅନଏକାଡେମୀ

ନୂଆଦିଲ୍ଳୀ: ଅନଲାଇନ୍ ଶିକ୍ଷା ଯୋଗାଉଥିବା କମ୍ପାନୀ ଅନଏକାଡେମୀ ପୁଣିଥରେ କର୍ମଚାରୀଙ୍କ ଛଟେଇ କରିଛି। ଗୋଟିଏ ବର୍ଷ ମଧ୍ୟରେ କମ୍ପାନୀ ଦୁଇଥର ଛଟେଇ କରିଛି। ଦ୍ବିତୀୟ ଥର କମ୍ପାନୀ ୩୫୦ କର୍ମଚାରୀଙ୍କୁ ବାହାର କରିଛି। ଅନଏକାଡେମୀର କୋ-ଫାଉଣ୍ଡର ଏବଂ ସିଇଓ ଗୌରବ ମୁଞ୍ଜାଲଙ୍କ ଦ୍ବାରା ପଠାଯାଇଥିବା ଏକ ଅନ୍ତରୀଣ ନୋଟିସ୍ ଅନୁଯାୟୀ, ଅନଏକାଡେମୀ ଚଳିତ ବର୍ଷରେ ଦ୍ବିତୀୟ ଥର ଚାକିରିରୁ କର୍ମଚାରୀଙ୍କୁ ଛଟେଇ କରିବାର ନିଷ୍ପତ୍ତି ନେଇଛି।

ଏନେଇ କମ୍ପାନୀ ତରଫରୁ କୁହାଯାଇଛି ଯେ, କିଛି ସମୟରୁ ଲଗାତାର କମ୍ପାନୀକୁ କ୍ଷତି ସହିବାକୁ ପଡ଼ୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଖର୍ଚ୍ଚ କମ୍ କରିବାକୁ ଚାହୁଁଛି। ମୁଞ୍ଜାଲ କର୍ମଚାରୀଙ୍କୁ ଏନେଇ ଏକ ଚିଠି ଲେଖିବା ସହ ଛଟେଇ ନେଇ ଦୁଃଖପ୍ରକାଶ କରିଛନ୍ତି। ଗୌରବ କର୍ମଚାରୀଙ୍କୁ କ୍ଷମା ମାଗିବା ସହ କହିଛନ୍ତି ଯେ ଏବେ ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇଯାଇଛି ତେଣୁ ଆମର ଫଣ୍ଡିଂ କମ୍ ହୋଇଛି। ଫଳରେ ଏଭଳି ନିଷ୍ପତ୍ତି ନିଆଯାଉଛି।

ମୁଞ୍ଜାଲ ଆହୁରି ଲେଖିଛନ୍ତି ଯେ, କର୍ମଚାରୀଙ୍କୁ ନୋଟିସ୍ ଅବଧିର ଦରମା ସହ ଦୁଇ ମାସର ଅତିରିକ୍ତ ଦରମା ମଧ୍ୟ ଦିଆଯିବ। ଏହା ସହ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ମେଡିକାଲ ବୀମା କଭର, ପ୍ଲେସମେଣ୍ଟ ଭଳି ସୁବିଧା ମିଳିବ।

Related Articles

Back to top button