ବାରବଙ୍କିର ସୁମଲି ନଦୀରେ ଡଙ୍ଗା ବୁଡ଼ିବାରୁ ବୁଡ଼ିଗଲେ ୩୦ ଶ୍ରଦ୍ଧାଳୁ , ୩ ମୃତ
ବାରବଙ୍କି : ଉତ୍ତରପ୍ରଦେଶର ବାରବଙ୍କିରେ ଘଟିଛି ବଡ଼ ଦୁର୍ଘଟଣା । ସୁମଲି ନଦୀରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ପରିପୂର୍ଣ୍ଣ ଏକ ଡଙ୍ଗା ନଦୀରେ ଓଲଟି ପଡ଼ିବାରୁ ୩୦ ଜଣ ବୁଡ଼ିଯାଇଥିବା ଜଣାପଡିଛି । କୁହାଯାଉଛି ଯେ, ବୁଡ଼ିଯିବା କାରଣରୁ ୩ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ୨୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ସୂଚନା ମୁତାବକ, ସମସ୍ତ ଲୋକ ଏକ ଡଙ୍ଗାରେ ବସି ଯାତ୍ରା ଦେଖିବାକୁ ଯାଉଥିଲେ । ଠିକ୍ ସେହି ସମୟରେ ଭାରସାମ୍ୟ ଖରାପ ହେତୁ ଡଙ୍ଗା ଓଲଟି ପଡିଥିଲା ଏବଂ ଏକ ବଡ ଦୁର୍ଘଟଣା ଘଟିଥିଲା । ବର୍ତ୍ତମାନ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଉଛି । ଘଟଣାସ୍ଥଳରେ ଡିଏମ, ଏସପି ଏବଂ ଅନ୍ୟ ବରିଷ୍ଠ ପୋଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି । ସୂଚନାନୁସାରେ, ସୁମଲି ନଦୀ ପାର୍ଶ୍ୱରେ ଥିବା ମହମ୍ମଦପୁର ଖାଲା ପୋଲିସ ଷ୍ଟେସନ ଅଞ୍ଚଳର ବୈରାନା ମାଉ ମଜାରୀ ଗ୍ରାମରେ ଏକ ମେଳା ଓ ଦଙ୍ଗଲ ଚାଲିଥିଲା । ଲୋକମାନେ ଏହା ଦେଖିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।