ହାଇକୋର୍ଟର ଦ୍ବାରସ୍ଥ ହେଲେ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଏଏସଓ ପରୀକ୍ଷାର୍ଥୀ

କଟକ: ହାଇକୋର୍ଟରେ ପହଞ୍ଚିଲା ଲିଖିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଫଳକୁ ନେଇ ତେଜୁଥିବା ବିବାଦ। ନିରାଶ ହୋଇଥିବା ପରୀକ୍ଷାର୍ଥୀ ହାଇକୋର୍ଟର ଦ୍ବାରସ୍ଥ ହୋଇ ଓପିଏସସି ଦ୍ବାରା ହୋଇଥିବା ପରୀକ୍ଷାକୁ ଚ୍ୟାଲେଞ୍ଜ କରିଛନ୍ତି। ଯେଉଁଥିରେ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ତେବେ ହାଇକୋର୍ଟ ଏହି ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି କି ନାହିଁ ସ୍ପଷ୍ଚ ହୋଇନି।

ନଭେମ୍ବର ୭ ରେ ଏଏସଓର ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥିରେ ୭୯୬ଟି ପଦବୀ ପାଇଁ ମୋଟ୍ ୧୧୦୪ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଏବେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନଭେମ୍ବର ୧୪ରୁ ୧୮ ଭିତରେ ସେମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ୨୭ରେ ଯୋଗ୍ୟପ୍ରାର୍ଥୀଙ୍କ କମ୍ପ୍ୟୁଟର ସ୍କିଲ୍‌ ଟେଷ୍ଟ ପରୀକ୍ଷା କରାଯିବ ବୋଲି ଓପିଏସ୍‌ସି ପକ୍ଷରୁ ସୂଚନା ମିଳିଛି।

ତେବେ ଫଳାଫଳକୁ ନେଇ ଅସନ୍ତୁଷ୍ଟ ରହିଥିବାରୁ ବହୁ ସଂଖ୍ୟାରେ ପରୀକ୍ଷାର୍ଥୀ ଅନିୟମିତତା ଅଭିଯୋଗ କରି ଗୁରୁବାର କଟକସ୍ଥିତ ଓପିଏସସି କାର୍ୟ୍ୟାଳୟ ବାହାରେ ପ୍ରତିବାଦ କରିଥିଲେ। ଏହାପରେ ଓପିଏସସି ପକ୍ଷରୁ କୁହାଯାଇଛି, ପ୍ରାର୍ଥୀ ଚୟନରେ ନିରପେକ୍ଷ ଏବଂ ସ୍ୱଚ୍ଛ ନୀତି ଅନୁସରଣ କରାଯାଇଛି। ହେଲେ ଏହାକୁ ପରୀକ୍ଷାର୍ଥୀ ଗ୍ରହଣ କରିପାରିନାହାନ୍ତି।

ବିଭିନ୍ନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିରାଶ ହୋଇଥିବା ମହିଳା ପରୀକ୍ଷାର୍ଥୀ ଜଣଙ୍କ କହିଛନ୍ତି, ସେ ବସିଥିବା ସିଟର ଆଗରେ ଜଣେ ବ୍ୟକ୍ତି ବସିଥିଲେ। ପ୍ରଶ୍ନପତ୍ର ପହଞ୍ଚିବା ପୂର୍ବରୁ ସେ ତାଙ୍କ ଉତ୍ତର ଖାତାରେ ଗୋଲ୍ ବୁଲାଇବା ଆରମ୍ଭ କରିଦେଇଥିଲେ। ଆଉ ସେ ବହୁତ କମ୍ ସମୟରେ ପରୀକ୍ଷା ଖାତା ପୂରଣ କରିଦେଇଥିଲେ। ଆଉ ସେହି ବ୍ୟକ୍ତି ପରୀକ୍ଷାରେ କୃତକାର୍ୟ୍ୟ ହୋଇଛନ୍ତି ବୋଲି ସେ କହିଛନ୍ତି। ସେହିପରି ଆଉ କିଛି ନିରାଶ ପରୀକ୍ଷାର୍ଥୀ କହିଛନ୍ତି, ପ୍ରଶ୍ନ ଗୁଡିକ ଅତ୍ୟନ୍ତ ଖାମଖିଆଲି ଢଙ୍ଗରେ ରହିଥିଲା। ଗୋଟିଏ ପ୍ରଶ୍ନର ଉତ୍ତର ଦୁଇଟି ରହିଛି। ତେଣୁ କେଉଁଟା ଠିକ୍ ଜାଣିବା ମୁସକିଲ ହୋଇପଡିଥିଲା। ସେହିପରି ଅନେକ ପ୍ରଶ୍ନ ରିପିଟ୍ ହୋଇଥିଲା ବୋଲି ଅଭିଯୋଗ ହୋଇଛି।

Related Articles

Back to top button