ପ୍ରଥମାଷ୍ଟମୀରେ ଶ୍ରୀମାଧବଜିଉଙ୍କ ପୀଠରୁ ଶ୍ରୀକ୍ଷେତ୍ର ଯିବ ପୋଢୁଆଁ ଭାର

ଭୁବନେଶ୍ୱର: ନଭେମ୍ବର ୧୬ ତାରିଖ ୨୦୨୨ ମାନେ ଆସନ୍ତା ବୁଧବାର ମାର୍ଗଶୀର ଅଷ୍ଟମୀ ତିଥିରେ କାଳିଆର ପୋଢୁଆଁ । ଏନେଇ ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠରୁ ପୋଢୁଆଁ ଭାର ଶ୍ରୀକ୍ଷେତ୍ର ପଠାଯିବ । ରତ୍ନସିଂହାସନସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ଯିବ ।

ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ ସପ୍ତମୀ ତିଥି ୧୫ ତାରିଖ ମଙ୍ଗଳବାର ଶ୍ରୀମାଧବଜିଉଙ୍କ ପୀଠରୁ ଏହି ପୋଢୁଆଁ ଭାରଯାତ୍ରା ବାହାରିବ । ପୋଢୁଆଁ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଅଛି – ଅରୁଆ ଚାଉଳ , ବିରି , ନଡ଼ିଆ , ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , ଯାଈଫଳ , ପାନ , ଗୁଆ , ଅଳେଇଚ , ଲବଙ୍ଗ ; ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ । ମଙ୍ଗଳବାର ସକାଳ ୭ଟା ୩୦ରେ ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଭାର ଓ ଶୋଭାଯାତ୍ରା ଆରମ୍ଭ ହେବ ।

ତେବେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଭୋଇସେବକ ମାନେ ଆଗରେ ପତାକା ଧରି ଚାଲିବେ । ଢୋଲିଆ ଓ ମହୁରିଆ ମଙ୍ଗଳବାଦ୍ୟ ବଜାଇବେ । ଏହା ପଛକୁ ଗଡ଼ୁଆ ସେବକ ପାଇକ ଆଖଡା କରିବେ । ରାମତାଳି / ଲଉଡ଼ି ପ୍ରଦର୍ଶନ କରାଯିବ । ଯାତ୍ରା ବାଟରେ ପ୍ରାୟ ୮୦ରୁ ଅଧିକ ସଂକୀର୍ତ୍ତନ ଦଳ ଏହି ଶୋଭାଯାତ୍ରାରେ ସାମିଲ ହେବେ । ୧୪ ଜଣ ବେହେରା ସେବକ ନିଷ୍ଠାର ସହ ଉପବାସ ବ୍ରତ ପାଳି ଏହି ଦିବ୍ୟଭାର ନେଇ ଶ୍ରୀକ୍ଷେତ୍ର ଯାତ୍ରା କରିବେ ।

ଛତିଶା ନିଯୋଗୀ, ପ୍ରାଚୀ ଅଞ୍ଚଳର ବହୁ ସାଧୁସନ୍ଥ , ଭକ୍ତ ଓ ଶ୍ରୀଜଗନ୍ନାଥ ପ୍ରେମୀ ଏଥିରେ ସାମିଲ ହେବେ । ଚାରିଛକ ଓ ବାଲିଘାଇ ଦେଇ ଶୋଭାଯାତ୍ରା ଯିବ । ଅପରାହ୍ଣ ୨ଟା ୩୦ ସୁଦ୍ଧା ଏହା ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ, ସେଠାରୁ ଅପରାହ୍ଣ ୩ ଟାରେ ଦ୍ୱିତୀୟ ପର୍ଯ୍ୟାୟ ଶୋଭାଯାତ୍ରା ଆରମ୍ଭ ହେବ। ଅପରାହ୍ନ ୫ଟା ସୁଦ୍ଧା ପ୍ରଭୁଙ୍କ ପୋଢୁଆଁ ଭାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚାଇବା ସହ ଏହି ପବିତ୍ର ଯାତ୍ରା ସମ୍ପନ୍ନ ହେବ । ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିର କାର୍ଯ୍ୟସୂଚୀ ଅନୁସାରେ ମହାପ୍ରଭୁଙ୍କଠାରେ ପୋଢୁଆଁ ବସ୍ତ୍ର ଲାଗି ହେବ । ଏହି ଦିନ ଉତ୍କଳ ଯାଦବ ମହାସଭା ପକ୍ଷରୁ ବଡଦାଣ୍ଡରେ ଏକ ଲକ୍ଷ ପିଠା ବଣ୍ଟନ କରାଯିବ ।

Related Articles

Back to top button