ଏଣିକି ପ୍ରତି ଫର୍ମାଟ ପାଇଁ ଅଲଗା ଅଧିନାୟକ ମନୋନୀତ କରାଯିବ: ଟିମ୍‌ ଇଣ୍ଡିଆର ହେବ ନବକଳେବର

ମୁମ୍ବାଇ: ଟି-୨୦ ବିଶ୍ୱକପ୍‌ ୨୦୨୨ ସେମିଫାଇନାଲରେ ହାରି ଭାରତ ଘରକୁ ଆସିଛି। ଇଂଲଣ୍ଡ ଟିମ୍‌କୁ ୧୦ ଓ୍ୱିକେଟ୍‌ରେ ଶୋଚନୀୟ ପରାଜୟ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ପୁଣି ଥରେ ଭାରତୀୟ ଫ୍ୟାନ୍ସଙ୍କ ବିଶ୍ୱକପ୍‌ ଆଶା ମଉଳିଛି। ତେବେ ଏସବୁ ଭିତରେ ବିସିସିଆଇ ନେବାକୁ ଯାଉଛି ବଡ଼ ପଦକ୍ଷେପ।

ମିଳିଥିବା ସୂଚନାନୁସାରେ, ଏଣିକି କୌଣସି ବି ପ୍ଲେୟର ସମସ୍ତ ଫର୍ମାଟରେ ଅଧିନାୟକ ରହିବେନାହିଁ। ପ୍ରତି ଫର୍ମାଟ ପାଇଁ ନୂଆ ନୂଆ ଅଧିନାୟକ ମନୋନୀତ କରାଯିବ। ଟେଷ୍ଟ ଟିମ୍‌ ଜଣେ, ଦିନିକିଆ ଟିମ୍‌ ପାଇଁ ଜଣେ, ଟି-୨୦ କ୍ରିକେଟ୍‌ ପାଇଁ ବି ଜଣେ ଅଧିନାୟକ ଚୟନ କରାଯିବ। ସେହିପରି ପ୍ରତି ଫର୍ମାଟ ପାଇଁ ବି ଭିନ୍ନ ଭିନ୍ନ ଖେଳାଳି ବି ଚୟନ କରାଯିବ। ଖାସ୍‌ କରି ଟି-୨୦ କ୍ରିକେଟ୍‌ ପାଇଁ ଯୁବ ପ୍ରତିଭାଙ୍କୁ ଚୟନ କରାଯିବ ବୋଲି ସୂଚନା ମିଳିଛି। ତେବେ ଏନେଇ ବିସିସିଆଇ ପକ୍ଷରୁ କିଛି ଅଧିକାରୀକ ଘୋଷଣା ହୋଇନାହିଁ  କିନ୍ତୁ ସେପଟେ ବୋର୍ଡ ମଧ୍ୟ ଏହି ପ୍ରସଙ୍ଗ ନେଇ ବିଚାର ବିମର୍ଶ କରୁଛି। ଖୁବଶୀଘ୍ର ବିଧିବଦ୍ଧ ଭାବେ ଘୋଷଣା କରିପାରେ ଭାରତୀୟ ବୋର୍ଡ।

ତେବେ ଏବେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତ ଅଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟି-୨୦, ଦିନିକିଆ, ଟେଷ୍ଟ ପାଇଁ ତିନି ଜଣ ଅଧିନାୟକ ବଛାଯାଇଛି । ସେମାନଙ୍କ ନେତୃତ୍ୱରେ ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିବେ।

Related Articles

Back to top button