ବାଲି ଜି-୨୦ ସମ୍ମିଳନୀରେ ପ୍ରବାସୀ ଭାରତୀୟଙ୍କୁ ବାଲିଯାତ୍ରା କଥା କହିଲେ ମୋଦୀ

ବାଲି: ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧନ କଲା ବେଳେ ବାଲିଯାତ୍ରା କଥା ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରୁ ୧୫ଶହ କିଲୋମିଟର ଦୂର କଟକସ୍ଥିତ ବାଲିଯାତ୍ରା ମହୋତ୍ସବର ସ୍ମରଣ କରାଇଲେ ମୋଦୀ । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ସ୍ମରଣୀୟ ରଖିବା ପାଇଁ  ବର୍ଷ ବର୍ଷ ଧରି ବାଲିଯାତ୍ରା ଆୟୋଜିତ ହୋଇଆସୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଇଣ୍ଡୋନେସିଆ ଓ ଭାରତ ମଧ୍ୟରେ ସମ୍ପର୍କ ଐତିହାସିକ । ଦୁଇ ଦେଶର ଲୋକେ ପରସ୍ପର ପ୍ରତି ସୁଖ-ଦୁଃଖର ସାଥୀ ବୋଲି କହିଛନ୍ତି ମୋଦୀ । ବାଲିଯାତ୍ରାର ଫଟୋ ଗୁଡିକୁ ଇଣ୍ଡୋନେସିଆର ଲୋକେ ଇଣ୍ଟରନେଟ୍ ଜରିଆରେ ଦେଖି ଖୁସି ହୁଅନ୍ତି । କୋଭିଡ ପାଇଁ ଦୁଇ ବର୍ଷରୁ ବାଲିଯାତ୍ରା ବନ୍ଦ ରହିଥିଲା ।

ବାଲି ଦ୍ବୀପରେ ପ୍ରବାସୀ ଭାରତୀୟଙ୍କୁ ମୋଦି କହିଛନ୍ତି “ ମୁଁ ଏଠାରେ ଆପଣମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଏଠାରୁ ୧୫୦୦ କିଲୋମିଟର ଦୂର କଟକଠାରେ ଐତିହାସିକ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି । ଏହି ମହୋତ୍ସବ ହଜାର ହଜାର ବର୍ଷର ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସଂପର୍କକୁ ଉତ୍ସବ ଭାବେ ପାଳନ କରିଥାଏ । ଇଣ୍ଡୋନେସିଆର ଲୋକମାନେ ଏହି ବାଲିଯାତ୍ରାର ଫଟୋ ଇଣ୍ଟରନେଟରେ ମଧ୍ୟ ଦେଖି ନିଶ୍ଚିତ ଖୁସି ହେଉଥିବେ ବୋଲି କହିଥିଲେ ମୋଦି । ଏହା କହିବା ବେଳେ ପ୍ରବାସୀ ଭାରତୀୟମାନେ ଜୋରଦାର କରତାଳି ମାଡ଼ କରିଥିଲେ । କରୋନା ପାଇଁ କିଛି ବର୍ଷ ଏହା ବନ୍ଦ ହୋଇଯାଇଥିଲା, କିନ୍ତୁ ଏଥର ବାଲିଯାତ୍ରା ମହୋତ୍ସବ ଆଡ଼ମ୍ବରରେ ପାଳନ ହେଉଛି ଓ ଲକ୍ଷ ଲକ୍ଷ ଲୋକ ଯୋଗ ଦେଉଛନ୍ତି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ବାଲିର ଏହି ମହାନ ଭୂମିରେ ମହର୍ଷି ମାର୍କେଣ୍ଡେୟ, ଅଗସ୍ତ୍ୟଙ୍କ ତପଭୂମି ଥିଲା । ଭାରତର ହିମାଳୟ ଏବଂ ବାଲିର ଆଙ୍ଗୁଗ ପର୍ବତ ମଧ୍ୟରେ ସାମଞ୍ଜସ୍ୟ କଥା କହିଥିଲେ ମୋଦି । ଭାରତରେ ସବୁ ଶୁଭ କାର୍ଯ୍ୟ ଆରମ୍ଭରେ ଭଗବାନ ଗଣେଶଙ୍କୁ ପୂଜା କରାଯାଉଥିବା ବେଳେ ଇଣ୍ଡୋନେସିଆରେ ମଧ୍ୟ ଏହି ପରମ୍ପରା ଆଜି ବି ଜୀବିତ ଥିବା କହିଥିଲେ ମୋଦି । ପୂର୍ଣ୍ଣିମା, ଏକାଦଶୀ ବ୍ରତ, ସୂର୍ଯ୍ୟ ଉପାସନା, ସଂଧ୍ୟା ପ୍ରାର୍ଥନା ସବୁ କିଛି ରେ ଦୁଇଦେଶ ମଧ୍ୟରେ ସମାନତା କଥା କହିଥିଲେ ପ୍ରଧାନମନ୍ତ୍ରୀ ।

ସେପଟେ ବାଲିରେ ଆଜି ବିଶ୍ବର ବଡ଼ ବଡ଼ ନେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ  ଭାଇରାଲ ହେବାରେ ଲାଗିଛି ।  ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବିଶ୍ବନେତାଙ୍କ ସହ ସହଜରେ କଥା ହେଉଥିବାର ଫଟୋକୁ ନେଇ ଚର୍ଚା ମଧ୍ୟ ଜାତୀୟ ମିଡିଆରେ ଚାଲିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କଠାରୁ ଆରମ୍ଭ କରି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମୋଦିଙ୍କ ସହ ହସଖୁସିରେ କଥା ହେଉଥିବା ଦେଖିବାକୁ ମିଳିଛି ।

Related Articles

Back to top button