ଗିରଫ ହେଲେ ଆରଡବ୍ଲୁଏସଏସର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା

ଭୁବନେଶ୍ୱର: ଶେଷରେ ଗିରଫ ହେଲେ ଆରଡବ୍ଲୁଏସଏସର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା।ଗିରଫ ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଆରକ୍ଷୀ ଅଧୀକ୍ଷକ ବା ଏସପି ଏମ.ରାଧାକ୍ରିଷ୍ଣନ। ଦୁଇ ଦିନ ଧରି ଭୁବନେଶ୍ୱର, କେନ୍ଦ୍ରାପଡା, ଉଦଳାର ମୋଟ ୮ଟି ସ୍ଥାନରେ ଏକକାଳୀନ ୮ ଟି ଟିମ୍ ଚଢାଉ କରିଥିଲା।

ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭିଜିଲାନ୍ସ ଏବେ ରିମାଣ୍ଡରେ ନେଇ ରବି ନାରାୟଣ ପଣ୍ଡାଙ୍କୁ ଜେରା କରିବ ବୋଲି ସୂଚନା ରହିଛି। କେଉଁଠୁ ଏତେ ଟଙ୍କା ଆୟ କଲେ ଏବଂ କିଭଳି ଉପାୟରେ ସେ ଏହି ଅର୍ଥ ରୋଜଗାର କରିଛନ୍ତି ତାର ଚେର ଖୋଜିବ ଭିଜିଲାନ୍ସ।

ଅବସର ନେବାକୁ ହାତରେ ଆଉ କେଇମାସ ବାକି ଥିବା ବେଳେ ଏହି ବାବୁଙ୍କର ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଥିବା ସୂଚନା ଦେଇଛନ୍ତି ଏସପି ରାଧାକ୍ରିଷ୍ଣନ। ତାଙ୍କର ଦୁଇଟି କୋଠା ସାଙ୍ଗକୁ ୧୨ ଟି ପ୍ଲଟ ରହିଛି। ଭୁବନେଶ୍ୱରରେ ୫ଟି କଟକରେ ୨ ଟି ଓ କେନ୍ଦ୍ରାପଡା ରେ ୫ଟି ପ୍ଲଟ ରହିଥିବା ଭିଜିଲାନ୍ସ ଦାବି କରିଛି।

ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ବେଳେ ପ୍ରାୟ ୨ କେଜି ୩ ଶହ ଗ୍ରାମ ସୁନା ଜବତ ହୋଇଥିବା ବେଳେ ୧ କୋଟି ୨୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ଫିକ୍ସ ଡିପୋଜିଟ ଠାବ ହୋଇଛି। ସେହିପରି ଗିରଫ ଯନ୍ତ୍ରୀଙ୍କ ପୁଅ ସୌମିତ ପଣ୍ଡାଙ୍କ ଆକାଉଣ୍ଟକୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ଟ୍ରାଞ୍ଜାକ୍ସନ ହୋଇଥିବା ବେଳେ ତାଙ୍କ ଶ୍ବଶୁର ଘର ଗଦି ତଳୁ ନଗଦ ୨୫ ଲକ୍ଷ ଟଙ୍କା ମିଳିଥିବା ସୂଚନା ରହିଛି। ରବି ନାରାୟଣଙ୍କ ସମୁଦି ଘର ନୟାପଲ୍ଲୀରେ ରହିଛି। ରବିଙ୍କ ପୁଅ ସୌମିତ୍ ପଣ୍ଡା ଓ ବୋହୂ ସାଗରିକା ସ୍ୱାଇଁ  ଯେଉଁ ରୁମରେ ଶୋଉଥିଲେ, ସେହି ରୁମରୁ ଭିଜିଲାନ୍ସ ଏହି ଟଙ୍କା ଜବତ କରିଛି।

ଏହି ଯନ୍ତ୍ରୀ ଜଣଙ୍କ ବେଶ ମୋଟା ଅଙ୍କର ଅର୍ଥ ବେଆଇନ୍ ଭାବେ ଉପାର୍ଜନ କରିବା ପରେ ବେଶ ରାଜକୀୟ ଢଙ୍ଗରେ ଚଳୁଥିଲେ। ଘର ସଜାଇବା ଉପକରଣ ୨୪ ଲକ୍ଷ ଟଙ୍କାର ଥିବା ଭିଜିଲାନ୍ସ ମୂଲ୍ୟାୟନ କରିଥିବା ବେଳେ ତାଙ୍କ ଆଇଗିଣିଆ ଘରେ ମିଳିଥିଲା ବିଦେଶୀ ବ୍ରାଣ୍ଡ ଘଣ୍ଟା। ସେହିପରି ଘର ସଜାଇବା ପାଇଁ ବ୍ୟବହାର ହୋଇଥିଲା ରୂପା ଗ୍ଲାସ। ୪୫ ଲକ୍ଷ ଟଙ୍କାର ୪ଟି ୪ ଚକିଆ କାର ଥିବା ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି।

Related Articles

Back to top button