ବୁଲା କୁକୁରଙ୍କୁ ଖୋଲାରେ ଖାଇବାକୁ ଦେଇ ହେବ: ବମ୍ବେ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଡଗ୍ ଲଭର୍ସଙ୍କ ପାଇଁ ଏକ ଖୁସି ଖବର । ଖୋଲାରେ କୁକୁରମାନଙ୍କୁ ଖାଇବାକୁ ଦେବା ନେଇ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ରୋକ ଲଗାଇଥିଲେ । ତେବେ ହାଇକୋର୍ଟଙ୍କ ଉକ୍ତ ନିଷ୍ପତ୍ତିର କିଛି ଅଂଶକୁ ନେଇ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଯଦି ଜଣେ ବ୍ୟକ୍ତି କୌଣସି କୁକୁରକୁ ଖାଇବାକୁ ଦେବାକୁ ଚାହିଁବେ, ତେବେ ତାକୁ ନିଜ ଘରକୁ ନେଇଯିବା ଦରକାର ବୋଲି ହାଇକୋର୍ଟ କହିଥିଲେ ।

ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟ ପ୍ରଦାନ କରିଥିବା ଆଦେଶ ବ୍ୟବହାରିକ ନୁହେଁ । କୁକୁରମାନଙ୍କୁ ଖାଦ୍ୟ ଦେବାକୁ ହେଲେ ସେମାନଙ୍କୁ କୋଳେଇ ନେବାକୁ ବାଧ୍ୟ କରାଯାଇ ପାରିବନି । ଯଦି କୁକୁରମାନଙ୍କୁ ଠିକରେ ଖାଇବାକୁ ନ ମିଳିବ, ତେବେ ସେମାନେ ଆକ୍ରାମକ ହୋଇ ଉଠିବେ । ସୂଚନାଯୋଗ୍ୟ ଯେ, ବମ୍ବେ ହାଇକୋର୍ଟଙ୍କ ଆଦେଶ ବିରୋଧରେ କିଛି ପଶୁପ୍ରେମୀ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ । ତେବେ ଏଣିକି ନାଗପୁରରେ କୁକୁରମାନଙ୍କୁ ଲୋକମାନେ ବାହାରେ ଖାଦ୍ୟ ଖାଇବାକୁ ଦେଇପାରିବେ ବୋଲି ସ୍ପଷ୍ଟ ହୋଇଯାଇଛି ।

କୁକୁରଙ୍କୁ ବାହାରେ ଖାଦ୍ୟ ଖୁଆଇବାକୁ ନେଇ ଜଣେ ଆଇନଜୀବୀ ଆପତ୍ତି ଜାହିର କରିଥିଲେ । ଏନେଇ ସୁପ୍ରିମକୋର୍ଟ କହିଥିଲେ, କୁକୁରମାନେ ତ ସାଧାରଣ ଭାବେ ବାହାରେ ରୁହନ୍ତି, ସେମାନଙ୍କର ଘର ନଥାଏ । ତେଣୁ ସେମାନଙ୍କୁ ଖାଇବାକୁ ଦେବାକୁ ହେଲେ କୋଳେଇ ନେବାକୁ ବା ଘରକୁ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇ ପାରିବେ ନାହିଁ । ତେବେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏବେ ନାଗପୁର ନଗର ନିଗମ କିଛି ସ୍ଥାନ ଚିହ୍ନିତ କରିବ । ଉକ୍ତ ସ୍ଥାନମାନଙ୍କରେ ପଶୁପ୍ରେମୀମାନେ କୁକୁରମାନଙ୍କୁ ଖାଇବାକୁ ଦେଇପାରିବେ ।

Related Articles

Back to top button