ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁ ପକ୍ଷଙ୍କ ପୂଜା ଅଧିକାର ଉପରେ ଶୁଣାଣି କରିବାକୁ ବାରାଣସୀ କୋର୍ଟ ପ୍ରସ୍ତୁତ

ବାରାଣସୀ: ଜ୍ଞାନବ୍ୟାପୀ ମାମଲାରେ ମୁସଲିମ ପକ୍ଷଙ୍କୁ ଗୁରୁବାର ଲାଗିଛି ଜୋରଦାର ଝଟକା। ହିନ୍ଦୁ ପକ୍ଷଙ୍କ ଦ୍ଵାରା ଦାୟର ଆବେଦନ ଉପରେ ଶୁଣାଣି କରିବାକୁ ପ୍ରସ୍ତୁତ ହୋଇଛନ୍ତି ବାରାଣସୀ କୋର୍ଟ। ହିନ୍ଦୁ ପକ୍ଷ ଆବେଦନରେ ଜ୍ଞାନବ୍ୟାପୀ ପରିସର ହିନ୍ଦୁଙ୍କୁ ପ୍ରଦାନ କରିବା, ପୂଜାର ଅଧିକାର ଦେବା ଏବଂ ମୁସଲିମ ପକ୍ଷଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ଦାବି କରିଛନ୍ତି। ସିଭିଜ ଜଜ(ସିନିୟର ଡିଭିଜନ) ଫାଷ୍ଟ ଟ୍ରାକ କୋର୍ଟ ମହେନ୍ଦ୍ର କୁମାର ପାଣ୍ଡେଙ୍କ ଅଦାଲତରେ ବିଶ୍ଵ ବୈଦିକ ସନାତନ ସଂଘର କାର୍ଯ୍ୟକାରୀ ଅଧ୍ୟକ୍ଷ କିରଣ ସିଂହ ଏହି ଆବେଦନ କରିଥିଲେ। ଏହା ଉପରେ ଆପତ୍ତି ପ୍ରକାଶ କରିଥିଲେ ମୁସଲିମ ପକ୍ଷ ଏବଂ କହିଥିଲେ ମାମଲା ଶୁଣାଣିର ଯୋଗ୍ୟ ନୁହେଁ। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨ରେ କରିବାକୁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।

ହିନ୍ଦୁ ପକ୍ଷଙ୍କ ଓକିଲ ବିଷ୍ଣୁ ଜୈନଙ୍କ ଅନୁସାରେ ଏହା ଆମ ପାଇଁ ବହୁତ ବଡ ସଫଳତା। ଆମର କେସ୍ ପୂର୍ବରୁ ବହୁତ ମଜବୁତ ଥିଲା। ଏଠାରେ ୧୯୯୧ର ଆଇନ ଲାଗୁ ହେଉ ନାହିଁ। ଏବେ  ହିନ୍ଦୁପକ୍ଷ ଡିସେମ୍ବର ୨ ତାରିଖ ଶୁଣାଣିରେ ଜ୍ଞାନବ୍ୟାପୀରୁ ମିଳିଥିବା ଶିବଲିଙ୍ଗର ପୂଜା କରିବାର ଅଧିକାର ଦେବା ଏବଂ ପରିସରରେ ଏକ ସର୍ଭେ କରିବାକୁ ଦାବି କରିବ।

ଏହାପୂର୍ବରୁ ଜିଲ୍ଲା ଜଜଙ୍କ ଅଦାଲତ ମଧ୍ୟ ଜ୍ଞାନବ୍ୟାପୀ-ଶୃଙ୍ଗାର ଗୌରୀ କେସରେ ଶୁଣାଣି କରିବାକୁ ରାଜି ହୋଇଥିଲେ ଏବଂ ମୁସଲିମ ପକ୍ଷଙ୍କ ଆବେଦନ ଖାରଜ କରିଥିଲେ। ହିନ୍ଦୁ ପକ୍ଷ ରଖିଥିବା  ଚାରୋଟି ଦାବିଗୁଡିକ ହେଉଛି ତତ୍କାଳ ପ୍ରଭାବରୁ ଭଗବାନ ବିଶ୍ଵେଶ୍ଵର ଶମ୍ଭୁ ବିରାଜମାନଙ୍କ ନିୟମିତ ପୂଜା କରାଯିବା, ସଂପୂର୍ଣ୍ଣ ଜ୍ଞାନବ୍ୟାପୀ ପରିସରରେ ମୁସଲମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇବା, ସଂପୂର୍ଣ୍ଣ ପରିସରକୁ ହିନ୍ଦୁଙ୍କୁ ପ୍ରଦାନ କରିବା ଏବଂ ମନ୍ଦିର ଉପରେ ନିର୍ମିତ ବିବାଦୀୟ ଢାଞ୍ଚାକୁ ହଟାଇବା ସାମିଲ୍।

Related Articles

Back to top button