ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛି ସିଂହୀ ‘ବିଜ୍‌ଲୀ’

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାରତୀୟ ସିଂହ ବଂଶ ବୃଦ୍ଧି ପାଇଁ ପୁଣି ଶୁଭ ସଙ୍କେତ ମିଳିଛି । ଆଉ କିଛି ଦିନ ମଧ୍ୟରେ ସିଂହୀ ‘ବିଜ୍‌ଲୀ’ ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛି । ସେ ଗର୍ଭଧାରଣ ପରଠାରୁ ତାକୁ ଭିଟାମିନ, ଓଆର୍‌ଏସ୍‌ ଓ ବିଭିନ୍ନ ଟିକା ଦିଆଯାଇ ତାର ଯତ୍ନ ନିଆଯାଉଛି । ଆଉ କିଛି ଦିନ ମଧ୍ୟରେ ବିଜ୍‌ଲୀ ଶାବକ ଜନ୍ମ ଦେବ । ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଏବେଠାରୁ ସଜାଗ ଅଛନ୍ତି। ବିଜ୍‌ଲୀ ରହୁଥିବା ସଫାରୀର ଏକ ସ୍ୱତନ୍ତ୍ର କୋଠରିରେ ତାକୁ ରଖାଯାଇ ସିସିଟିଭି ମାଧ୍ୟମରେ ଜନ୍ତୁ ରକ୍ଷକ, ମେଡିକାଲ ଅଫିସର ଓ ନନ୍ଦନକାନନର କର୍ମଚାରୀମାନେ ନଜର ରଖିଛନ୍ତି । ୨୦୨୧ ଏପ୍ରିଲ ମାସରେ ବିଳାସପୁର ଚିଡ଼ିଆଖାନାରୁ ଆସିଥିବା ଅଣ୍ଡିରା ସିଂହ ସମ୍ରାଟ ସହିତ ୨୦୨୦ରେ କମଳା ନେହରୁ ଚିଡ଼ିଆଖାନାରୁ ଆସିଥିବା ସିଂହୀ ବିଜ୍‌ଲୀର ମିଳନ କରାଯାଇଥିଲା ।

ସୂଚନାଯୋଗ୍ୟ, ୨୦୨୧ ଜୁଲାଇ ୨୧ରେ ସିଂହୀ ବିଜ୍‌ଲୀ ୪ଟି ଶାବକର ମା’ ହୋଇଥିଲା । ଦୁଇଟି ମୃତ ଜନ୍ମ ହୋଇଥିବା ବେଳେ ମା’ ଶାବକଙ୍କୁ ସ୍ତନ୍ୟପାନ କରାଇନଥିଲା । ତେଣୁ କର୍ତ୍ତୃପକ୍ଷ ଦୁଇ ଛୁଆକୁ ଆଣି ପ୍ରାଣୀ ଉଦ୍ୟାନର ଶିଶୁ ଯତ୍ନ କକ୍ଷରେ ରଖିଥିଲେ । ରହିବାର ଦୁଇ ଦିନ ମଧ୍ୟରେ ଗୋଟିକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଛୁଆ ‘ବର୍ଷା’ କେବଳ ଜୀବିତ । ପରେ ପୁଣି ୨୦ ମାର୍ଚ୍ଚ ୨୦୨୨ରେ ଗୋଟିଏ ଶାବକ ଜନ୍ମ ଦେଇଥିଲା । ତାକୁ କିଛି ଦିନ ପରେ ଗ୍ରହଣ ନକରିବାରୁ ତାକୁ ମଧ୍ୟ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯାଇ ପାଳନ କରାଯାଉଛି । ଏବେ ସେହି ଛୁଆ ୮ ମାସର ହୋଇଥିବା ବେଳେ ତାର ନାମ ‘କାମିନୀ’ ରଖାଯାଇଛି ।

Related Articles

Back to top button