ଶୀଘ୍ର ସାରି ଦିଅନ୍ତୁ ବ୍ୟାଙ୍କ ସମ୍ବନ୍ଧୀୟ କାମ: ନଭେମ୍ବର ୧୯ରେ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: ଯଦି ଚଳିତ ସପ୍ତାହରେ ଆପଣଙ୍କର କିଛି ବ୍ୟାଙ୍କିଂ ସମ୍ବନ୍ଧୀୟ କାମ ଅଛି, ତେବେ ତାହାକୁ ଶୀଘ୍ର ସାରି ଦିଅନ୍ତୁ । କାରଣ ଆଗକୁ ବ୍ୟାଙ୍କ ଧର୍ମଘଟ ହେବାର ଅଛି । ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ନିଜର ଦାବି ପୂରଣ ନେଇ ଧର୍ମଘଟ କରିବାକୁ ଯାଉଛି । ଏଥିପାଇଁ ଆସନ୍ତା ଶନିବାର ଦିନ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । ଏହାଦ୍ୱାରା ସମସ୍ତ ବ୍ୟାଙ୍କିଂ କାର୍ଯ୍ୟ ଠପ୍ ହେବାର ସମ୍ଭାବନା ଦେଖାଦେଇଛି ।

ସୂଚନା ମୁତାବକ, ଏଆଇବିଇଏ ଆସନ୍ତା ୧୯ ତାରିଖ ଅର୍ଥାତ ଶନିବାର ଦିନ ଧର୍ମଘଟ କରିବାକୁ ଯାଉଛି । ମାସର ତୃତୀୟ ଶନିବାର କାରଣରୁ ଏହିଦିନ ବ୍ୟାଙ୍କ ଛୁଟି ନାହିଁ । ବ୍ୟାଙ୍କ ଅଫ୍ ବରୋଦା (ବିଓବି) ପକ୍ଷରୁ ଏନେଇ ଏକ ବୟାନ ଜାରି କରାଯାଇଛି । ସଂଘର ମହାସଚିବ ଇଣ୍ଡିଆ ବ୍ୟାଙ୍କ ଆସୋସିଏସନକୁ ଧର୍ମଘଟ ସମ୍ବନ୍ଧରେ ନୋଟିସ ପଠାଇଛନ୍ତି । ଶନିବାର ଦିନ ବ୍ୟାଙ୍କ ଧର୍ମଘଟ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି । ଏହି ଧର୍ମଘଟ ଦ୍ୱାରା ବ୍ୟାଙ୍କ ସେବା ବ୍ୟାହତ ହୋଇପାରେ ।

ବ୍ୟାଙ୍କ ଘରୋଇକରଣକୁ ବିରୋଧ ଓ ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ବ୍ୟାଙ୍କ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ତେଣୁ ଏହି ସମୟରେ ମଧ୍ୟରେ ବ୍ୟାଙ୍କିଂ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ସାରିଦେବା ଭଲ । ରବିବାର ସାପ୍ତାହିକ ଛୁଟିଦିନ ପଡ଼ୁଥିବାରୁ ଧର୍ମଘଟ କାରଣରୁ ଦୁଇଦିନ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେବ । ତେଣୁ ଏନେଇ ବ୍ୟାଙ୍କ ଗ୍ରାହକମାନେ ଆଗୁଆ ସଚେତନ ହେବା ନିହାତି ଜରୁରୀ ।

Related Articles

Back to top button