ଇଡି ଖୋଜୁଛି ଅର୍ଚ୍ଚନାଙ୍କ ଫୋର୍ଡ ଏଣ୍ଡେଓଭର କାର

ଭୁବନେଶ୍ୱର: ଇଡି ଖୋଜୁଛି ଫୋର୍ଡ ଏଣ୍ଡେଓଭର କାର । ଯାହା ଅର୍ଚ୍ଚନା ନାଗ ଉପହାର ସ୍ବରୂପ ପାଇଥିଲା ଏବଂ ନଗଦ ଟଙ୍କା ଦେଇ ଏହି ଦାମୀ ଏସୟୁଭି କାର କିଣା ହୋଇଥିବା ସୂଚନା ରହିଛି। ଗିରଫ ହୋଇ ଜେଲରେ ଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସତ୍ୟବିହାର ଘରେ ନିକଟରେ ଇଡି ରେଡ୍ କରି ନାଲି ରଙ୍ଗର ମହିନ୍ଦ୍ରା ଥର କାର ଜବତ କରିଛି। ହେଲେ ଧଳା ରଙ୍ଗର ଫୋର୍ଡ ଏଣ୍ଡେଓଭର କାର କୁଆଡେ ଗଲା ତାକୁ ନେଇ ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି କାରଟି ଉପହାର ସ୍ବରୂପ ମିିିଳିଥିଲା ବୋଲି ସୂଚନା ରହିଛି। ତେଣୁ କିଏ ଏତେ ଦାମୀ କାର ଉପହାର ଦେଇଛି ଏବଂ କେଉଁ ସ୍ବାର୍ଥରେ ଦେଇଛି ତାର ଚେର ଖୋଜିବା ଆରମ୍ଭ କରିଛି ଇଡି।

ସୋସିଆଲ ମିଡିଆରେ ଅର୍ଚ୍ଚନାଙ୍କ ଚାରି ଚକିଆ ଗାଡିର ଅନେକ ଫଟୋ ଦେଖିବାକୁ ମିଳିଥିଲା। ତେବେ ଗିରଫ ହେବା ପରଠାରୁ କାରଟି ନିଖୋଜ ରହିଛି। ସବିଶେଷ ତଥ୍ୟ ଜାଣିବା ପାଇଁ ଇଡି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଥିବା ସୂଚନା ରହିଛି। ଏନେଇ ଏକ ଚିଠି ମଧ୍ୟ ପଠାଇଥିବା ସୂଚନା ରହିଛି।

ଅର୍ଚ୍ଚନା ନାଗ ସତ୍ୟବିହାରରେ ଯେଉଁ ଘରେ ରହୁଥିଲେ ତାହା ଏକ ତିନି ମହଲା ବଙ୍ଗଳା। ଯାହାକି ରାଜକୀୟ ଶୈଳୀରେ ତିଆରି ହୋଇଛି। ମାତ୍ର 4 ବର୍ଷ ମଧ୍ୟରେ ସେ ନିଜ ସ୍ୱାମୀ ଜଗବନ୍ଧୁଙ୍କ ସହ ମିଶି ନିର୍ମାଣ କରିଥିଲେ। ତାଙ୍କ ପାଖରେ ଆହୁରି ଅନେକ ଦାମୀ ଗାଡି, ଚାରୋଟି କୁକୁର ଏବଂ ଗୋଟିଏ ଘୋଡା ମଧ୍ୟ ରହିଛି।

ଅନ୍ୟପଟେ ଏହି ମାମଲାରେ ଇଡି ଶ୍ରଦ୍ଧାଞ୍ଜଳୀ ନାମକ ଯୁବତୀଙ୍କୁ ସମନ୍ କରିଛି। ଯିଏକି ଅର୍ଚ୍ଚନାଙ୍କ ସହଯୋଗୀ ଥିଲେ। ହେଲେ ପ୍ରଯୋଜକ ଅକ୍ଷୟ ପରିଜା ବ୍ଲାକମେଲିଂର ଶିକାର ହୋଇଥିବା ନେଇ ଏତଲା ଦେବା ପରେ ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ। ଏହି ଏତଲାରେ ସେ ଅର୍ଚ୍ଚନା ନାଗ କପରି ବ୍ଲାକମେଲିଂ କରନ୍ତି ତାର ଗୁମର ଫିଟାଇଥିଲେ।

ଏହି ମାମଲାରେ ଏଯାବତ ତିନି ଜଣ ଗିରଫ ହେଇଛନ୍ତି। ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ କମିଶନରେଟ ପୋଲିସ ଗିରଫ କରିଥିବା ବେଳେ ଇଡି ଦମ୍ପତିଙ୍କ ସହଯୋଗୀ ଖଗେଶ୍ବରକୁ ଗିରଫ କରିଛି। ଖଗେଶ୍ବର ଏବେ ଇଡି ରିମାଣ୍ଡରେ ରହିଛି। ମିଳିଥିବା ସୂଚନା ଅନୁସାରେ ଖଗେଶ୍ବର କୁଆଡେ ପୂର୍ବତନ ବିଧାୟକଙ୍କ ସମେତ ଜଣେ ମନ୍ତ୍ରୀଙ୍କର ଅର୍ଚ୍ଚନା ସହିତ କିଭଳି ଲିଙ୍କ୍ ରହିଛି ତାର ଗୁମର ଫିଟାଇଛି।

Related Articles

Back to top button