୨୦୦୭ ଟି-୨୦ ବିଶ୍ଵ କପ୍‌କୁ ନେଇ ଓ୍ଵେବ୍ ସିରିଜ୍, ୨୦୨୩ରେ ପରଦାକୁ ଆସିବ

ନୂଆଦିଲ୍ଲୀ:  ଟି-୨୦ ବିଶ୍ଵ କପ୍ କଥା ଉଠିଲେ କ୍ରିକେଟ୍ ପ୍ରେମୀଙ୍କ ଆଖି ଆଗରେ ଝଲସି ଉଠେ ୨୦୦୭ ଟି-୨୦ ବିଶ୍ଵ କପ୍‌ରେ ଭାରତୀୟ ଦଳର ଚାମ୍ପିଅନର ଦୃଶ୍ୟ। ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ପ୍ରଥମ ଟି-୨୦ ବିଶ୍ଵ କପ୍‌ରେ ଚାମ୍ପିଅନ ହୋଇଥିଲା। ଧୋନୀ ସବୁଠୁ ସଫଳ ଅଧିନାୟକ ମଧ୍ୟରୁ ଜଣେ। ଏବେ ପ୍ରଥମ ଟି-୨୦ ବିଶ୍ଵ କପ୍‌ ସ୍ମରଣରେ ଓ୍ଵେବ୍ ସିରିଜ୍ ନିର୍ମାଣ ହେବାକୁ ଯାଉଛି। ଏହା ଜରିଆରେ ପ୍ରଶଂସକଙ୍କ ସାମ୍ନାରେ ବିଶ୍ଵ କପ୍ ୨୦୦୭ର ଅଜଣା ତଥ୍ୟ ସାମ୍ନାରେ ରଖାଯିବ।

ଏହି ଓ୍ଵେବ୍‌ ସିରିଜ୍‌ରେ ଭାରତୀୟ ଦଳର ୧୫ ଖେଳାଳି ନଜର ଆସିପାରନ୍ତି। ଏହାର ସୂଚନା ପ୍ରସିଦ୍ଧ ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମ ଜରିଆରେ ଦେଇଛନ୍ତି। ଓ୍ଵେବ ସିରିଜ୍ ୨୦୨୩ରେ ରିଲିଜ୍ ହେବ। ନିର୍ମାତା ଗୌରବ ବହିର୍ବାଣୀ, ନିର୍ଦ୍ଦେଶକ ଆନନ୍ଦ କୁମାର ଏବଂ ଲେଖକ ସୌରଭ ପାଣ୍ଡେଙ୍କ ତତ୍ଵାବଧାନରେ ସିରିଜ୍ ଉପରେ କାମ କରାଯାଉଛି। ତରଣ ଆଦର୍ଶଙ୍କ ସୂଚନା ଅନୁଯାୟୀ, ସିରିଜ୍‌ଟି ହିନ୍ଦୀ ସମେତ ଅନେକ ଆଞ୍ଚଳିକ ଭାଷାରେ ରିଲିଜ୍ ହେବ। କ୍ରିକେଟ୍ ସଂପର୍କିତ ଅନେକ ଫିଲ୍ମ ପରଦାକୁ ଆସି ସାରିଛି। ଏମଏସ ଧୋନୀଙ୍କ ଆତ୍ମଜୀବନିକୁ ନେଇ ଫିଲ୍ମ ‘ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’ ବକ୍ସ ଅଫିସରେ ବେଶ ସଫଳତା ଅର୍ଜନ କରିଥିଲା।

ତରଣ ଆଦର୍ଶ ନିଜର ଟ୍ଵିଟ୍‌ରେ ଓ୍ଵେବ ସିରିଜ୍‌ ବିଷୟରେ ସୂଚନା ଦେଇ ଲେଖିଛନ୍ତି, ୨୦୦୭ ଟି-୨୦ ବିଶ୍ଵ କପ୍ ଉପରେ ନିର୍ମାଣ କରାଯାଉଥିବା ଓ୍ଵେବ ସିରିଜ୍‌ର ଦୁଇ ତୃତୀୟାଂଶ ସୁଟିଂ ପୂରା ହୋଇ ସାରିଛି। ୨୦୨୩ରେ ଏହା ପରଦାକୁ ଆସିବ।

ଟି-୨୦ ବିଶ୍ଵ କପ୍‌ ୨୦୦୭ର ରୋମାଞ୍ଚକର ଏବଂ ଉତ୍କାଣ୍ଠାପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ଭାରତ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ହରାଇ ପ୍ରଥମ ଚାମ୍ପିଅନ ହୋଇଥିଲା। ସେହି ସମୟରେ ଭାରତର ନେତୃତ୍ଵ ନେଇଥିଲେ ମହେନ୍ଦ୍ର ସିଂହ ଧୋନୀ। ଟି-୨୦ ବିଶ୍ଵ କପ୍ ୨୦୨୨ରେ ମଧ୍ୟ ଭାରତୀୟ ଦଳ ଟାଇଟଲ୍ ଜିତିବାର ପ୍ରବଳ ଦାବିଦାର ଥିଲା। ମାତ୍ର ଭାରତୀୟ ଦଳ ସେମି ଫାଇନାଲ୍‌ରେ ଇଂଲଣ୍ଡ ସମ୍ମୁଖରେ ଆତ୍ମ ସମର୍ପଣ କରିଥିଲେ। ଆଉ ଭାରତୀୟ ଦଳର ଆଇସିସି ଟ୍ରଫି ଜିତିବାର ଅପେକ୍ଷା ଆହୁରି ଲମ୍ବା ହୋଇ ଯାଇଛି।

Related Articles

Back to top button