ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀକୁ ନେଇ ହେବ ଫିଲ୍ମ: ପଙ୍କଜ ତ୍ରିପାଠୀ ଅଭିନୟ କରିବେ ବାଜପେୟୀଙ୍କ ଭୂମିକାରେ

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀକୁ ନେଇ ତିଆରି ହେବ ହିନ୍ଦୀ ଫିଲ୍ମ ‘ମେଁ ରହୁ ୟା ନା ରହୁ ୟେ ଦେଶ ରେହେନା ଚାହିଏ’। ଏହି ଫିଲ୍ମରେ ପ୍ରତିଭାବାନ ଅଭିନେତା ପଙ୍କଜ ତ୍ରିପାଠୀ ଅଭିନୟ କରିବାକୁ ଥିବା ବେଳେ ଏହାର ନିର୍ଦ୍ଦେଶନା ଦେବେ ଲୋକପ୍ରିୟ ମରାଠୀ ଫିଲ୍ମ ନିର୍ଦ୍ଦେଶକ ରବି ଯାଦବ।

ରବି ଯାଦବ ଏହା ପୂର୍ବରୁ ଅନେକ ଲୋକପ୍ରିୟ ଫିଲ୍ମ  ଯଥା- ନାଟ୍ରଙ୍ଗ, ବାଲାକପାଲକ, ବାଲଗଙ୍ଗାଧରଭା, ଟାଇମପାସ ଆଦିର ନିର୍ଦ୍ଦେଶନା ଦେଇଛନ୍ତି। ଏବେ ଅଟଳଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି କରିବାକୁ ଉଭୟ ପଙ୍କଜ ଓ ରବି ଘୋଷଣା କରିଛନ୍ତି।

ଏହି ଘୋଷଣା ପରେ ‘ମେଁ ରହୁ ୟା ନା ରହୁ ୟେ ଦେଶ ରେହେନା ଚାହିଏ’ରେ କିଏ ବାଜପେୟୀଙ୍କ ଭୂମିକା ନିଭାଇବେ ତାକୁ ନେଇ ଫ୍ୟାନ୍‌ଙ୍କ ମନରେ ଉତ୍‌କଣ୍ଠା ଦେଖା ଦେଇଥିଲା। ତେବେ ପଙ୍କଜ ତ୍ରିପାଠୀ ଅଟଳଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି ବୋଲି କୁହାଯାଉଛି। ତେବେ ଏନେଇ ଫିଲ୍ମ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ସୂଚନା ଥାଉକି, ‘ଦି ଅନ୍‌ଟୋଲ୍ଡ ଷ୍ଟୋରୀ ବାଜପେୟୀ’ ବହିରୁ ଫିଲ୍ମର କାହାଣୀ ନିଆଯାଇଛି। ଫିଲ୍ମକୁ ଲେଖିଛନ୍ତି ଉତ୍କର୍ଷ ନୈଥାନୀ। ‘ମେଁ ରହୁ ୟା ନା ରହୁ ୟେ ଦେଶ ରେହେନା ଚାହିଏ’ ଫିଲ୍ମଟି ୨୦୨୩ ଖ୍ରୀଷ୍ଟମାସରେ ରିଲିଜ୍ ହୋଇପାରେ ବୋଲି ସୂଚନା ରହିଛି। ଫିଲ୍ମରେ ଆଉ କେଉଁମାନେ ଅଭିନୟ କରିବେ ସେ ନେଇ କୌଣସି ଘୋଷଣା କରାଯାଇ ନାହିଁ। ଏପଟେ ଫିଲ୍ମ ବିଷୟରେ ଜାଣିବାକୁ ଫ୍ୟାନ୍ ଖୁବ୍ ଆଗ୍ରହୀ ଜଣାପଡ଼ୁଛନ୍ତି।

ଏପଟେ ଫିଲ୍ମକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ପଙ୍କଜ ତ୍ରିପାଠୀ। ସେ କହିଛନ୍ତି “ ଏଭଳି ଜଣେ ମହାନ ନେତାଙ୍କ ଭୂମିକାରେ ଅଭିନୟ କରିବା ମୋ ପାଇଁ ଭାଗ୍ୟର କଥା। ସେ କେବଳ ଜଣେ ନେତା ନୁହଁନ୍ତି, ବରଂ ଅନେକ କିଛି। ସେ ଜଣେ ଖୁବ୍ ଚମତ୍କାର ଲେଖକ ଏବଂ ପ୍ରଖ୍ୟାତ କବି। ତାଙ୍କ ପଦାଙ୍କ ଅନୁସରଣ କରିବା ମୋ ଭଳି ଅଭିନେତାଙ୍କ ପାଇଁ ସୌଭାଗ୍ୟର କଥା।”

Related Articles

Back to top button