ଜେଲ୍‌ରୁ ମକୁଳିଲେ ଭୀମ କୋରେଗାଓଁ ମାମଲାରେ ୨୦୨୦ରୁ ଜେଲ୍‌ରେ ଥିବା ଅଭିଯୁକ୍ତ ଗୌତମ ନଭ୍ଲଖା

ନୂଆଦିଲ୍ଲୀ: ଭୀମ କୋରେଗାଓଁ ମାମଲାରେ ୨୦୨୦ରୁ ଜେଲ୍‌ରେ ଥିବା ୭୦ ବର୍ଷୀୟ ଆନ୍ଦୋଳନକାରୀ ଗୌତମ ନଭ୍ଲଖା ଜେଲ୍‌ରୁ ମୁକୁଳିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ଜେଲ୍‌ରୁ ବାହାର କରି ଗୃହବନ୍ଦୀରେ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଗୌତମ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆବେଦନକୁ ବିଚାର କରି ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଗୌତମଙ୍କୁ ହାଉସ ଆରେଷ୍ଟ କରିବା ନେଇ ଗତକାଲି ଏନ୍‌ଆଇଏ ଉପରେ ବିଗିଡିଥିଲେ କୋର୍ଟ। ଗୌତମଙ୍କୁ ଜେଲ୍‌ରୁ ତୁରନ୍ତ ବାହାର କରି ଗୃହବନ୍ଦୀ କରି ରଖିବାକୁ କହିଥିଲେ କୋର୍ଟ। ହେଲେ ଏନ୍‌ଆଇ ଏହା ବିରୋଧରେ କୋର୍ଟରେ ଜବାବ ରଖିଥିଲା। ଗୌତମ ଜାଣିଶୁଣି ମାମଲା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ଦେଉଛନ୍ତି ବୋଲି କୋର୍ଟରେ କହିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା। ତେବେ ବି କୋର୍ଟ ଏନ୍‌ଆଇଏ ଯୁକ୍ତିକୁ ରିଜେକ୍ଟ କରି ଗୌତମଙ୍କୁ ଗୃହବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଗୌତମଙ୍କୁ ଗୃହବନ୍ଦୀ କରିବାକୁ ଗତ ସପ୍ତାହରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ଜେଲ୍‌ରୁ ବାହାର କରିବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ଏଥିରେ ବିଳମ୍ବ ହେବାରୁ ଗତକାଲି ଏନ୍‌ଆଇଏ ଉପରେ ବିଗିଡ଼ିଥିଲେ କୋର୍ଟ। ସଂସ୍ଥା ଜାଣିଶୁଣି ଯୋଜନାବଦ୍ଧ ଭାବରେ ବିଳମ୍ବବ କରୁଛି ବୋଲି କହିଥିଲେ କୋର୍ଟ।

ସୂଚନା ଥାଉକି, ମହାରାଷ୍ଟ୍ର ଭୀମ କୋରେଗାଓଁ ହିଂସା ମାମଲାରେ ଗିରଫ ହୋଇ ୨୦୨୦ ଏପ୍ରିଲ୍‌ ଠାରୁ ଜେଲ୍‌ରେ ରହିଛନ୍ତି ଗୌତମ ନାଭ୍ଲଖା। ୨୦୨୦  ଜାନୁଆରୀ ୧ ତାରିଖରେ ଏହି ହିଂସାକାଣ୍ଡ ହୋଇଥିଲା। ଏହା ପୂର୍ବରୁ ଗୌତମ ଇଲଗର ପରିଷଦର ସମ୍ମିଳନୀରେ ଯୋଗ ଦେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ମାଓବାଦୀଙ୍କୁ ସମର୍ଥନ ଦେବାକୁ ଏହି ସମ୍ମିଳନୀରେ ଆୟୋଜନ କରାଯାଇଥିଲା ବୋଲି ପୁଣେ ପୁଲିସ ଅଭିଯୋଗ କରିଥିଲା।

Related Articles

Back to top button