ମଧ୍ୟପ୍ରଦେଶରେ ବ୍ୟାନ ହେବ ଅନଲାଇନ୍ ଗେମିଂ

ଭୋପାଳ: ବ୍ୟାନ ହେବ ଅନଲାଇନ୍ ଗେମିଂ। ଏମିତି ନିୟମ ଆଣିବାକୁ ପ୍ରସ୍ତୁତି କରୁଛନ୍ତି ମଧ୍ୟ ପ୍ରଦେଶ ସରକାର। ମଧ୍ୟ ପ୍ରଦେଶର ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର ରବିବାର ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ଅନଲାଇନ୍‌ ଗେମିଂକୁ ରେଗୁଲେଟ୍ କରିବା ପାଇଁ ରାଜ୍ୟ ସରକାର ଆଇନ ଆଣୁଛନ୍ତି। ଏଥପାଇଁ ଡ୍ରାଫ୍ଟ ପ୍ରସ୍ତୁତ କରାଯାଉଛି। ଏହାର ଅନ୍ତିମ ମଞ୍ଜୁରୀ ପାଇଁ କ୍ୟାବିନେଟ୍‌କୁ ପଠାଯିବ। କେବଳ ଏତିକି ନୁହେଁ ଅନଲାଇନ୍ ଗେମିଂ ଉପରେ ନଜର ରଖିବାପାଇଁ ରେଗୁଲେଟରୀ ବଡି ଗଠନ କରିବାକୁ ସରକାର ବିଚାର କରୁଛନ୍ତି। ଅନଲାଇନ ଗେମିଂ ପ୍ରତି ଛୋଟ ଛୋଟ ପିଲାଙ୍କ ଅହେତୁକ ମୋହ ବଢୁଥିବାର ଅନେକ ଅଭିଯୋଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏମିତି ପଦକ୍ଷେପ ନେବାକୁ ଯାଉଛନ୍ତି।

ଉଲ୍ଲେଖନୀୟ ମଧ୍ୟ ପ୍ରଦେଶ ସରକାର ଚଳିତ ବର୍ଷ ଜାନୁଆରୀରେ ମୋବାଇଲ୍ ଫୋନରେ ଗେମିଂ ଆପ୍ଲିକେସନକୁ ରେଗୁଲେଟ୍ କରିବା ପାଇଁ ଏକ ଆଇନ୍ ଆଣିବାକୁ ଘୋଷଣା କରିଥିଲେ। ଅନଲାଇନ୍ ଗେମ୍ ଖେଳିବା ସମୟରେ ଜଣେ ୧୧ ବର୍ଷୀୟ ବାଳକ ଆତ୍ମହତ୍ୟା କରିବା ପରେ ରାଜ୍ୟ ସରକାର ଏମିତି ଘୋଷଣା କରିଥିଲେ। ନରୋତ୍ତମ କହିଛନ୍ତି, ସାର୍ବଜନୀନ ଜୁଆ ଅଧିନିୟମରେ ସଂଶୋଧନ କରିବୁ ଏବଂ ଅନଲାଇନ୍‌ ଗେମିଂ ପ୍ଲାଟଫର୍ମକୁ ରେଗୁଲେଟ୍ କରିବା ପାଇଁ ଶୀଘ୍ର ଆଇନ ଆଣିବୁ।

Related Articles

Back to top button