କର୍ଣ୍ଣାଟକରେ ଦଳିତ ମହିଳା ଟ୍ୟାପ୍‌ରୁ ପାଣି ପିଇବାରୁ ପାଣି ଟାଙ୍କିକୁ ଗୋମୂତ୍ରରେ ଶୁଦ୍ଧ କଲେ ଗାଁ ଲୋକେ

କର୍ଣ୍ଣାଟକ: ଜାତିଭେଦର ନିମ୍ନ ମାନସିକାତରୁ ମୁକୁଳିପାରୁନି ମଣିଷ। ଯାହାର ଶିକାର ହେଉଛନ୍ତି ସମାଜର ଦଳିତର ପରିଚୟ ନେଇ ବଞ୍ଚୁଥିବା ଲୋକେ। ପ୍ରତିଦିନ ଦଳିତ ନିର୍ଯାତନାର କେଜାଣି କେତେ ଘଟଣା ସାମ୍ନାକୁ ଆସୁଛି। ଏବେ ବେଙ୍ଗାଲୁରୁରେ ମଧ୍ୟ ସେମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଏହି କୁଚଳଣୀ ବିଷୟରେ ଥରେ ଭାବିବାକୁ ବାଧ୍ୟ କରିବ।

କର୍ଣ୍ଣାଟକର ଏକ ଗାଁରେ ଜଣେ ଦଳିତ ମହିଳା ଟ୍ୟାପ୍‌ରୁ ଟିକେ ପାଣି ପିଇବାରୁ ପୂରା ପାଣି ଟାଙ୍କିକୁ ଗୋମୂତ୍ରରେ ଶୁଦ୍ଧ କରାଯାଇଛି। ନଭେମ୍ବର ୧୮ ତାରିଖରେ କର୍ଣ୍ଣାଟକ ଚମରାଜନଗର ଜିଲ୍ଲା ହେଗୋତରା ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଗାଁରେ ଅନୁସୂଚିତ ଜାତି ବର୍ଗର ଜଣେ ମହିଳା ବାହାଘର ଭୋଜିରେ ଯୋଗ ଦେବାକୁ ପହଞ୍ଚିଥିଲେ।
ମହିଳାଙ୍କୁ ଶୋଷ ହେବାରୁ ସେ ଏକ ଟ୍ୟାପ୍‌ରୁ ପାଣି ପିଇଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ସମାଜର ଉଚ୍ଚଜାତି ବଡ଼ପଣ୍ଡା ବୋଲାଉଥିବା ଲୋକେ। ଏହାପରେ ସମସ୍ତେ ମିଶି ପୂରା ଟାଙ୍କିର ପାଣି ଢାଳି ଦେଇ ଗୋମୂତ୍ରରେ ଟାଙ୍କିକୁ ଶୁଦ୍ଧ କରିଥିଲେ।

ଏନେଇ ତହସିଲଦାର ଇଆଇ ବାସବରାଜ ସୂଚନା ଦେଇ କହିଛନ୍ତି “ ପାଣି ଟାଙ୍କି ସଫା କରାଯାଇଛି ସତ ହେଲେ ଗୋମୂତ୍ରରେ ସଫା ହୋଇଛି ନାଁ ଖବର ନାହିଁ। ମହିଳା ଜଣଙ୍କ ଟାଙ୍କିରୁ ପାଣି ପିଇଥିବା କେହି ଦେଖି ନାହାନ୍ତି କି ଏପର୍ଯ୍ୟନ୍ତ ଉକ୍ତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ମହିଳାଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛୁ। ମହିଳାଙ୍କ ପରିଚୟ ମିଳିବା ପରେ ଆମେ ଏନେଇ ଏକ ଭେଦଭାବ ଅଭିଯୋଗରେ ମାମଲା ରୁଜୁ କରିବୁ।”

ତହସିଲଦାର ଆହୁରି ମଧ୍ୟ କହିଛନ୍ତି ଯେ ଗାଁରେ ଏକାଧିକ ପାଣି ଟ୍ୟାପ୍ ରହିଛି। ସମସ୍ତେ ସେଠାରୁ ପାଣି ପିଇପାରିବେ ବୋଲି ଲେଖା ବି ହୋଇଛି। ଏନେଇ ତହସିଲଦାର ଏକ ବିସ୍ତୃତ ରିପୋର୍ଟ କରିବେ। ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯିବ।

Related Articles

Back to top button