ଟ୍ୱିଟର ପାଇଁ ନୂଆ ନିଯୁକ୍ତି କରିବାକୁ କହିଲେ ସିଇଓ ଏଲନ ମସ୍କ

ନୂଆଦିଲ୍ଲୀ: ଛଟେଇ ପରେ ଏବେ ସୋସିଆଲ ମିଡିଆ କମ୍ପାନି ଟ୍ୱିଟର ପାଇଁ ଭଲ ଖବର ସାମନାକୁ ଆସିଛି । କମ୍ପାନିର ସିଇଓ ଏଲନ ମସ୍କଙ୍କ ସଂକେତ କମ୍ପାନିରୁ ଆଉ ଛଟେଇ ହେବ ନାହିଁ । କେବଳ ଏତିକି ନୁହେଁ, ନୂଆ ନିଯୁକ୍ତି କଥା ମଧ୍ୟ ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୭ ହଜାରରୁ ଅଧିକ କର୍ମଚାରୀ ଥିବା ଟ୍ୱିଟରରୁ ଲୋକେ ଇସ୍ତଫା ଦେଉଥିଲେ କିମ୍ୱା ବାହାର କରାଯାଉଥିଲା ।

ମିଡିଆ ରିପୋର୍ଟ ଅନୁସାରେ, ମସ୍କଙ୍କ କହିବା କଥା କମ୍ପାନିର ଛଟେଇ ପ୍ରକ୍ରିୟା ଶେଷ ହୋଇଛି । ଖବର ଅନୁସାରେ କର୍ମଚାରୀଙ୍କ ସହ ବୈଠକରେ ମସ୍କ ଦାବି କରିଛନ୍ତି ଯେ, ଟ୍ୱିଟର ଇଞ୍ଜିନିୟରିଂ ଏବଂ ସେଲ୍ସରେ ଏବେ ନିଯୁକ୍ତି ଦେବା ଆରମ୍ଭ କରିଛି । ଏହାସହ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ଅକ୍ଟୋବରରେ ମସ୍କ ଅଧିଗ୍ରହଣ କରିଥିଲେ ।

ମସ୍କଙ୍କ କହିବା ଅନୁସାରେ ସେ କମ୍ପାନିର ମୁଖ୍ୟାଳୟକୁ ସ୍ଥାନାନ୍ତର କରିବେ ନାହିଁ । ଖବର ଅନୁସାରେ ମସ୍କଙ୍କ ଅଧିଗ୍ରହଣ ପୂର୍ବରୁ ଟ୍ୱିଟରରେ କର୍ମଚାରୀଙ୍କ ସଂଖ୍ୟା ୭ ହଜାରରୁ ଅଧିକ ଥିଲା । ବର୍ତ୍ତମାନ କର୍ମଚାରୀଙ୍କ ସଂଖ୍ୟା ମାତ୍ର ୨ ହଜାର ୭୫୦ ଥିବା ଜଣାପଡ଼ିଛି ।

Related Articles

Back to top button