ଜିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶାକୁ ମିଳିଲା ୫୨୪ କୋଟି ଟଙ୍କା

ଭୁବନେଶ୍ୱର: ଏପ୍ରିଲରୁ ଜୁନ୍‌, ୨୦୨୨ ଅବଧି ପାଇଁ ବଳକା ଜିଏସଟି କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ୧୭ ହଜାର କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଯେଉଁଥିରେ ଓଡ଼ିଶାକୁ ମିଳିଲା ୫୨୪ କୋଟି ଟଙ୍କା। ଏହି ଅର୍ଥରାଶି ନଭେମ୍ବର ୨୪, ଗୁରୁବାର ଦିନ ଜାରି କରାଯାଇଛି । ଉପରୋକ୍ତ ପରିମାଣ ସମେତ ବର୍ତ୍ତମାନ ସୁଦ୍ଧା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୧,୧୫,୬୬୨ କୋଟି ଟଙ୍କାର କ୍ଷତିପୂରଣ ଯୋଗାଇ ଦିଆଯାଇଛି।

ଅକ୍ଟୋବର ୨୦୨୨ ସୁଦ୍ଧା ମୋଟ୍‌ ୭୨,୧୪୭ କୋଟି ଟଙ୍କାର ସେସ୍‌ ବା ଉପକର ସଂଗ୍ରହ ହୋଇଥିବା ସତ୍ତ୍ବେ କେନ୍ଦ୍ର ସରକାର ନିଜସ୍ବ ଉତ୍ସରୁ ବଳକା ୪୩,୫୧୫ କୋଟି ଟଙ୍କାର କ୍ଷତିପୂରଣ ରାଶି ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାର ଏହି ଅର୍ଥରାଶି ଜାରି କରିବା ସହିତ ଚଳିତ ଆର୍ଥିକ ବର୍ଷର ମାର୍ଚ୍ଚ ସୁଦ୍ଧା ସଂଗ୍ରହ କରାଯିବାକୁ ଥିବା ଆନୁମାନିକ ସେସର ସମ୍ପୂର୍ଣ୍ଣ ପରିମାଣ, ଅଗ୍ରୀମ ଆକାରରେ, ରାଜ୍ୟମାନଙ୍କୁ କ୍ଷତିପୂରଣ ଭାବେ ଯୋଗାଇ ଦେଇଛନ୍ତି ।

ରାଜ୍ୟମାନଙ୍କୁ ସେମାନଙ୍କର ସମ୍ବଳ ପରିଚାଳନାରେ ସହାୟତା ଲାଗି ଏହି ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ ସେମାନେ ଚଳିତ ଆର୍ଥିକ ବର୍ଷରେ ନିଜର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ, ବିଶେଷ କରି ପୁଞ୍ଜି ବ୍ୟୟ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରିପାରିବେ ।

ଚଳିତ ବର୍ଷ ମେ’ ମାସରେ, ଜିଏସଟି କ୍ଷତିପୂରଣ ପାଣ୍ଠିରେ  ମାତ୍ର ୨୫ ହଜାର କୋଟି ଟଙ୍କା ଥିବା ସତ୍ତ୍ବେ କେନ୍ଦ୍ର ସରକାର ଫେବୃଆରୀ-ମେ’ ୨୦୨୨ରେ ରାଜ୍ୟମାନଙ୍କୁ ପ୍ରାରମ୍ଭିକ ଜିଏସଟି କ୍ଷତିପୂରଣ ଆକାରରେ ୮୬ ହଜାର ୯୧୨ କୋଟି ଟଙ୍କା ଯୋଗାଇ ଦେଇଥିଲେ । ଏଥିପାଇଁ କେନ୍ଦ୍ର ସରକାର ନିଜସ୍ବ ଉତ୍ସରୁ ୬୨ ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଡ଼ କରିଥିଲେ ।

Related Articles

Back to top button