୬ ଦିନ ହେବ ଦିଲ୍ଳୀ ଏମ୍ସ ସର୍ଭର ଡାଉନ, ମେଲ୍ ମାଧ୍ୟମରେ ହ୍ୟାକର୍ସ ମାଗୁଛନ୍ତି ୨୦୦ କୋଟିର କ୍ରିପ୍ଟୋକରେନ୍ସୀ
ନୂଆଦିଲ୍ଳୀ: ଦିଲ୍ଳୀ ଏମ୍ସ ସର୍ଭର ୬ ଦିନ ହେବ ଡାଉନ ରହିଛି। ଯାହା ଫଳରେ ରୋଗୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ତେବେ ବର୍ତ୍ତମାନ ଖବର ଆସୁଛି ଯେ ସର୍ଭର ହ୍ୟାକ୍ ହୋଇଛି ଏବଂ ହ୍ୟାକର୍ସ ୨୦୦ କୋଟି ଟଙ୍କାର କ୍ରିପ୍ଟୋକରେନ୍ସୀ ଦାବି କରିଛନ୍ତି। ମେଲ୍ ମାଧ୍ୟମରେ ହ୍ୟାକର ଏହି ଦାବି କରିଛନ୍ତି। ଦାବି ପୂରା ନକଲେ ସର୍ଭର ଠିକ୍ ହେବନାହିଁ ଏବଂ ଡାଉନ ହିଁ ରହିବ ବୋଲି ଧମକ ଦେଇଛନ୍ତି ହ୍ୟାକର।
ସର୍ଭର ଠପ୍ ପଡ଼ିବା କାରଣରୁ ଓପିଡି ସେବା ସହ ଅନ୍ୟ ସେବାଗୁଡ଼ିକ ମଧ୍ୟ ବାଧାପ୍ରାପ୍ତ ହୋଇଛି। ତେବେ ହ୍ୟାକ ହେବା ପରଠାରୁ ଏମ୍ସରେ ସବୁ କାମ କାଗଜ-କଲମରେ କାମ କରାଯାଉଛି।
ସେପଟେ ଦିଲ୍ଳୀ ପୋଲିସ୍ ମାମଲାର ଯାଞ୍ଚରେ ଲାଗିଛି। ପୋଲିସ୍ ହ୍ୟାକରଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ପ୍ରୟାସ ଜାରି ରଖିଛି। ଏହାସହ ପୋଲିସ୍ ଧମକପୂର୍ଣ୍ଣ ମେଲ୍ର ଆଇପି ଆଡ୍ରେସକୁ ଟ୍ରାକ୍ କରିବାକୁ ପ୍ରୟାସ ଜାରି ରଖିଛି। ସୂଚନା ଅନୁଯାୟୀ, କମ୍ପ୍ୟୁଟର ଇମରଜେନ୍ସୀ ଟିମ୍, ଦିଲ୍ଳୀ ପୋଲିସ୍ ଏବଂ ଗୃହ ମନ୍ତ୍ରାଳୟ ପ୍ରତିନିଧି ଲଗାତାର ଏହି ମାମଲାରେ କାମ କରୁଛି। ଏନଆଇଏ ମଧ୍ୟ ଏହି ଯାଞ୍ଚରେ ସାମିଲ୍ ହୋଇଛି।