ଦକ୍ଷିଣ ସୁଡାନ ବିଶ୍ୱର ସବୁଠୁ ଭ୍ରଷ୍ଟ ଦେଶ, ସୂଚୀର ୮୦ ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଜର୍ମାନୀସ୍ଥିତ ସ୍ୱେଚ୍ଛାସେବୀ ସଙ୍ଗଠନ ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାସନାଲ ଭ୍ରଷ୍ଟାଚାରକୁ ‘ବ୍ୟକ୍ତିଗତ ଫାଇଦା ଲାଗି ମିଳିଥିବା କ୍ଷମତାର ଦୂରୁପଯୋଗ’ ଭାବେ ବ୍ୟାଖ୍ୟା କରେ। କୌଣସି ଦେଶରେ ଭ୍ରଷ୍ଟାଚାର ବଢିଲେ ଦେଶର ବିକାଶ ପ୍ରଭାବିତ ହୋଇଥାଏ। ଏଥିରେ ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାସନାଲ ବିଶ୍ୱର ସବୁଠୁ ଭ୍ରଷ୍ଟାଚାରରେ ଲିପ୍ତ ଦେଶଙ୍କ ଏକ ବିସ୍ତୃତ ସୂଚୀ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ୫ ସବୁଠୁ ଭ୍ରଷ୍ଟ ଦେଶଙ୍କ ବିବରଣୀ ପ୍ରଦାନ କରାଯାଇଛି।

ଦକ୍ଷିଣ ସୁଡାନ
ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାସନାଲଙ୍କ ରିପୋର୍ଟ ଅନୁସାରେ ଦକ୍ଷିଣ ସୁଡାନ ବିଶ୍ୱର ସବୁଠୁ ଭ୍ରଷ୍ଟ ଦେଶ। ଏହି ଦେଶର ସ୍ୱାଧୀନତାକୁ ଏକ ଦଶନ୍ଧୀ ବି ହୋଇନି ଦୁର୍ନୀତି ଓ ଭ୍ରଷ୍ଟଚାର ଦେଶକୁ ଆମୂଳ ଚୁଳ ଗ୍ରାସି ଯାଇଛି। ସ୍ୱାଧୀନତା ପରଠାରୁ ଦେଶର ପରିସ୍ଥିତି ଲଗାତାର ଖରାପ ହେବାରେ ଲାଗିଛି। ଦେଶରେ ଦାରିଦ୍ର୍ୟତା ଯୋଗୁ ଭ୍ରଷ୍ଟାଚାର ବ୍ୟାପୁଥିବାର ରିପୋର୍ଟରେ କୁହାଯାଇଛି।

ସିରିଆ
ଉପସାଗରୀୟ ଦେଶ ସିରିଆ ରେ ଗୃହ ଯୁଦ୍ଧ ଥମିବାର ନାଁ ନେଉନି। ଟ୍ରାନ୍ସପରେନ୍ସୀଙ୍କ ରିପୋର୍ଟ ଅନୁସାରେ ସିରିଆ ବିଶ୍ୱର ଦ୍ୱିତୀୟ ସବୁଠାରୁ ଭ୍ରଷ୍ଟ ଦେଶ। ଦେଶରେ ଜାରି ଗୃହ ଯୁଦ୍ଧ ଯୋଗୁ ବହୁ ସଂଖ୍ୟାରେ ଲୋକେ ଦେଶ ଛାଡି ପଳାୟନ କରିଛନ୍ତି। ଏହା ସତ୍ତ୍ୱେ ଯୁଦ୍ଧ ଥମୁନଥିବା ବେଳେ ସରକାର ଦୁର୍ନୀତିରେ ବୁଡି ରହିଛନ୍ତି।

ସୋମାଲିଆ
ହର୍ଣ୍ଣ ଅଫ ଆଫ୍ରିକା କୁହାଯାଉଥିବା ସୋମାଲିଆକୁ ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାସନାଲ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡି ରହିଥିବା ଦେଶଙ୍କ ସୂଚୀର ୩ ନମ୍ବର ଦେଇଛନ୍ତି। ବିଶ୍ୱର ଏହି ଦେଶଟି ସାମୁଦ୍ରିକ ତସ୍କରଙ୍କ ଯୋଗୁ ଚର୍ଚ୍ଚାରେ ଥାଏ। ବହୁ ସଂଖ୍ୟାରେ ଜଳ ଦସ୍ୟୁ ସମୁଦ୍ରରେ ଜାହାଜ  ଆପହରଣ କରିଥାନ୍ତି। ଲୋକଙ୍କ ଦାରିଦ୍ର୍ୟତା ହିଁ ଦେଶକୁ ଏହି ପରିସ୍ଥିତିକୁ ନେଇ ଯାଇଛି। ଭ୍ରଷ୍ଟାଚାର ଯୋଗୁ ବିଶ୍ୱର ବିଭିନ୍ନ ଦେଶରୁ ସୋମାଲିଆକୁ ମିଳୁଥିବା ସହାୟତା ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହିଁ।

ଭେଞ୍ଜୁଏଲା
ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାସନାଲଙ୍କ ଅନୁସାରେ ଭେଞ୍ଜୁଏଲା ବିଶ୍ୱର ଚତୁର୍ଥ ଭ୍ରଷ୍ଟ ଦେଶ। ଏହି ଲାଟିନ ଆମେରିକୀୟ ଦେଶରେ ବିଂଶ ଶତାବ୍ଦୀରେ ପେଟ୍ରୋଲର ସନ୍ଧାନ ମିଳିଥିଲା। ଏହା ସହିତ ଦେଶରେ ରାଜନୈତିକ ଭ୍ରଷ୍ଟାଚାର ଆରମ୍ଭ ହୋଇଥିବା ବେଳେ ଏବେ ସମାଜର ତଳ ସ୍ତର ପର୍ଯ୍ୟନ୍ତ ଭ୍ରଷ୍ଟାଚାର ବ୍ୟାପି ଯାଇଛି। ଏଣୁ ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାସନାଲ ଦେଶକୁ ଭ୍ରଷ୍ଟାଚାରରେ ଚତୁର୍ଥ ସ୍ଥାନ ଦେଇଛନ୍ତି।

ୟେମେନ
ବିଶ୍ୱର ସବୁଠୁ ଭ୍ରଷ୍ଟ ଦେଶଙ୍କ ସୂଚୀର ପଞ୍ଚମ ସ୍ଥାନରେ ରହିଛି ୟେମେନ। ଉପସାଗରୀୟ ଦେଶ ୟେମେନରେ ୨୦୧୪ ମସିହାରୁ ଗୃହଯୁଦ୍ଧ ଲାଗିଛି। ଏଣୁ ଏଠାରେ ମାନବୀୟ ସଂକଟ ଏବେ ଗୁରୁତର ରୂପ ଧାରଣ କରିଛି।

 

ଟ୍ରାନ୍ସ ପରେନ୍ସୀଙ୍କ ଏହି ରିପୋର୍ଟ ପାଇଁ ବିଶ୍ୱର ୧୮୦ ଦେଶଙ୍କ ଡାଟା ସଂଗୃହୀତ ହୋଇଥିଲା। ଭ୍ରଷ୍ଟାଚାର ଓ ଦୁର୍ନୀତିଗ୍ରସ୍ତ ଦେଶଙ୍କ ସୂଚୀର ୮୦ ତମ ସ୍ଥାନରେ ରହିଛି ଭାରତ । ୨୦୨୦ ମସିହାରେ ଭାରତ ଏହି ସୂଚୀର ୮୦ ତମ ସ୍ଥାନରେ ଥିଲା। ଏଥିରେ ଭାରତ ନା ଗୋଟିଏ ପାହାଚ ଉପରକୁ ଉଠିଛି ନା ଗୋଟିଏ ପାହାଚ ତଳକୁ ଖସିଛି ସେହି ସ୍ଥାନରେ କାୟମ ରହିଛି।

Related Articles

Back to top button