ରାଜଧାନୀରେ ହେବ ‘ସ୍ୱଭାବ କବି ଗଙ୍ଗାଧର ମେହେର ଭବନ’: ଶୈଳଶ୍ରୀ ବିହାରରେ ଜମି ସହିତ ୩ କୋଟି ଅର୍ଥ ମଞ୍ଜୁର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ପ୍ରଥିତଯଶା ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ସ୍ମୃତିକୁ ଲୋକଲୋଚନକୁ ଆଣିବେ ରାଜ୍ୟ ସରକାର । ରାଜଧାନୀରେ ନିର୍ମାଣ ହେବ ‘ସ୍ୱଭାବ କବି ଗଙ୍ଗାଧର ମେହେର ଭବନ’ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର ଶୈଳଶ୍ରୀ ବିହାରରେ ଜମି ଯୋଗାଇଦେବା ସହିତ ୩ କୋଟି ଅର୍ଥ ମଞ୍ଜୁର କରିଛନ୍ତି ।

ଗତ ୨୮ ତାରିଖଦିନ ନିଖିଳ ଓଡ଼ିଶା ମେହେର ସମାଜର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ସ୍ୱଭାବ କବିଙ୍କ ଭବନ ନିର୍ମାଣ ନେଇ ସେମାନେ ନବୀନଙ୍କ ସହ ଆଲୋଚନା କରିଥିଲେ । ମେହେର ସମାଜର ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ଜମି, ଅର୍ଥ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହିତ ଏକ କମିଟି ଗଠନ କରି ପରବର୍ତ୍ତୀ ପ୍ରକ୍ରିୟା ଆଗେଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ଗତ ୧୯୨୪ ମସିହାରେ ସ୍ୱଭାବ କବି ମେହେର ସମାଜକୁ ସଂଗଠିତ କରି ବରପାଲିଠାରେ ଏକ ମହାସଭାର ଆୟୋଜନ କରିଥିଲେ । ପରବର୍ତ୍ତୀ ସମୟରେ ଏହି ସମାଜ ନିଖିଳ ଓଡ଼ିଶା ମେହେର ସମାଜରେ ପରିଣତ ହୋଇଥିଲା । ସ୍ୱଭାବ କବିଙ୍କ ସ୍ମୃତି ରକ୍ଷା ପାଇଁ ରାଜ୍ୟ ସରକାର ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ, ବ୍ରହ୍ମପୁର ଓ ସମ୍ବଲପୁରରେ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ଏଥିସହିତ ଗଙ୍ଗାଧରଙ୍କ ନାମରେ ୨ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟରେ ଏକ ଜଳସେଚନ ଯୋଜନାର କାର୍ଯ୍ୟ ଚାଲିଛି । ସେହିପରି ଗତ ୨୦୧୫ ମସିହାରୁ ସମ୍ବଲପୁରର ଗଙ୍ଗାଧର ମେହେର କଲେଜକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଛି ।

Related Articles

Back to top button