ଇଭିଏମରେ ସିଲ୍‍ ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀଙ୍କ ଭାଗ୍ୟ: ସନ୍ଧ୍ୟା ୭ଟା ଯାଏଁ ୮୨% ମତଦାନ

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି । ଏଥିସହ ଉପନିର୍ବାଚନ ଜନିତ ଉଷ୍ମତା ଶାନ୍ତ ପଡ଼ିଛି। ସନ୍ଧ୍ୟା ୭ଟା ଯାଏଁ ପ୍ରାୟ ୮୨ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ନିର୍ବାଚନ ମଣ୍ଡଳୀର ୩୧୦ ମତଦାନ କେନ୍ଦ୍ରରେ କେଉଁଠି କିଛି ଅଘଟଣର ଖବର ମିଳିନାହିଁ। ବିଜେପି ପ୍ରାର୍ଥୀ ପ୍ରଦୀପ କୁମାର ପୁରୋହିତ ପାଇକମାଲ ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟର ୧୨୮ ନମ୍ବର ମତଦାନ କେନ୍ଦ୍ରରେ ନିଜ ପରିବାର ସଦସ୍ୟଙ୍କ ସହ ମତଦାନ କରିଥିଲେ। ସେହିଭଳି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲସ୍ଥିତ ନିଜ ଗାଁରେ ମତଦାନ କରିଥିଲେ। ସେହିପରି ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ରାଜବୋଡାସମ୍ବରର ବ୍ଲକ ରଜାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଥରେ ମତଦାନ କରିଥିଲେ।
ନିର୍ବାଚନ ମଣ୍ଡଳୀ​ରେ‌ ହୋଇଥିବା ପିଙ୍କ୍‌ ଓ ଆଦର୍ଶ ମତଦାନ କେନ୍ଦ୍ରରେ ମତଦାତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଜିଲାପାଳ ତଥା ନିର୍ବାଚନ ଅଧିକାରୀ ମନୀଷା ବାନାର୍ଜୀ ଓ ସାଧାରଣ ପର୍ଯ୍ୟବେକ୍ଷକ ମାନବେନ୍ଦ୍ର ପ୍ରତାପ ସିଂ ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ ପୂର୍ବକ ସ୍ଥିତି ଅନୁଧ୍ୟାନ କରିଥିଲେ। ରାଜବୋରାସମ୍ବର ହାଇସ୍କୁଲ ବୁଥ-୨୦୯, ଘନାମାଳ ବୁଥ-୩୦୪ରେ ପ୍ରାରମ୍ଭିକ ଅବସ୍ଥାରେ ଇଭିଏମ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଥିଲାବେଳେ ତୁରନ୍ତ ଏହାକୁ ପରିବର୍ତ୍ତନ କରାଯାଇ ମତଦାନ ଆରମ୍ଭ ହୋଇଥିଲା। ଢ଼େଙ୍କିମୁଣ୍ଡା ବୁଥରେ ସର୍ବାଧିକ ୭ଟା ୪୫ ପର୍ଯ୍ୟନ୍ତ ମତଦାନ ଚାଲିଥିବା ଜଣାପଡିିଛି।
୨୦୧୯ ନିର୍ବାଚନରେ ୭୯ପ୍ରତିଶତ ମତଦାନ ହୋଇଥିଲାବେଳେ ଏଥର ଏହା ୮୨ ପ୍ରତିଶତକୁ ବୃଦ୍ଧିପାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲାବେଳେ ୯ଟା ସୁଦ୍ଧା ୮.୫% ମଧ୍ୟାହ୍ନ ୧ଟା ସୁଦ୍ଧା ୪୬%, ଅପରାହ୍ଣ ୩ଟା ସୁଦ୍ଧା ୬୫.୨୮%, ସନ୍ଧ୍ୟା ୫ଟା ସୁଦ୍ଧା ୭୦.୮୯%, ୬ଟା ସୁଦ୍ଧା ୮୦.୫ % ମତଦାନ ହୋଇଥିଲା ବୋଲି ଜଣାପଡ଼ିଛି। ମାଓ ପ୍ରବଣ ମତଦାନ କେନ୍ଦ୍ରଗୁଡିକରେ ମତଦାତା ଅତି ଆଗ୍ରହର ସହିତ ନିଜ ଅଧିକାର ସାବ୍ୟସ୍ତ କରୁଥିବା ଦେଖାଯାଇଥିଲା। ସନ୍ଧ୍ୟାରେ ମତଦାନ ଶେଷ ପରେ ପୋଲିଂ ପାର୍ଟି ଜଉମୁଦ ଇଭିଏମ୍‌ ସହ ଫେରିଯାଇଛନ୍ତି। ଇଭିଏମ୍‌ଗୁଡ଼ିକୁ ପଦ୍ମପୁର ନିୟନ୍ତ୍ରିତ ବଜାର ପ୍ରାଙ୍କଣରେ ଥିବା ରିସିଭିଂ ସେଣ୍ଟରରେ ଜମା ଦେବା ପରେ ଏଗୁଡ଼ିକୁ ଷ୍ଟ୍ରଙ୍ଗ୍‌ ରୁମ୍‌ରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଆସନ୍ତା ୮ ତାରିଖରେ ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଥିବା ଗଣତି କେନ୍ଦ୍ରରେ ମତଗଣନା ହେବ।
ଅଧିକ ମତଦାନ ଯୋଗୁଁ ଉଭୟ ବିଜେପି ଓ ବିଜେଡି ଚିନ୍ତାରେ ଅଛନ୍ତି । ବିଜେପି ସପକ୍ଷରେ ଫଳାଫଳ ଯିବ ବୋଲି ବିଜେପି କହୁଥିବାବେଳେ ଅଧିକ ମହିଳା ଭୋଟର ଭୋଟ ଦେଇଥିବାରୁ ଏହା ବିଜେଡି ସପକ୍ଷରେ ଯିବ ବୋଲି ବିଜେଡି ନେତା କହୁଛନ୍ତି। ସେହିପରି ଏହି ଉପନିର୍ବାଚନରେ ପୁଳାପୁଳା ଟଙ୍କା ବଣ୍ଟା ଯାଇଥିବା ପ୍ରଚାର ମଧ୍ୟରେ ଏହା ମଧ୍ୟ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବ ବୋଲି କିଛି ଭୋଟର ଆଶଙ୍କା ବ୍ୟକ୍ତ କରୁଛନ୍ତି। ତେବେ ଏହି କଳ୍ପନାଜଳ୍ପନାର ଅନ୍ତ ୮ତାରିଖରେ ଇଭିଏମ୍‍ ଖୋଲିଲା ପରେ ଘଟିବ। ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ସ୍ଥିତି ଗରମାଗରମ ରହିଥିଲା। ଶେଷ ଦୁଇ ଦିନ ଘମାଘୋଟ ଲଢ଼େଇ ଲକ୍ଷ୍ୟ କରାଯାଇଥିବାବେଳେ ପ୍ରଚାର ଶେଷରେ ଟଙ୍କା ବଣ୍ଟା ଅଭିଯୋଗକୁ ନେଇ ଆରୋପ-ପ୍ରତ୍ୟାରୋପ ଚରମ ସୀମାରେ ପହଞ୍ଚିଥିଲା। ଏପରିକି ମତଦାନ ଶେଷ ପର୍ଯ୍ୟନ୍ତ ମଧ୍ୟ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ମିଳୁଥିଲା।

Related Articles

Back to top button