୧୫୦ରୁ ଅଧିକ କୋଠାକୁ ଶତାଧିକ ବେଆଇନ କୋଠାକୁ ନୋଟିସ୍‌‌ କରିବ ବ୍ରହ୍ମପୁର ମହାନଗର ନିଗମ

ବ୍ରହ୍ମପୁର: କୌଣସି ପ୍ରକାର ଅନୁମତି ନଥାଇ କିମ୍ବା ଅନୁମତି ଥିଲେ ମଧ୍ୟ କୋଠା ନିର୍ମାଣରେ ଏହାର ଉଲଂଘନ କରାଯାଇ ନିର୍ମିତ ହୋଇଥିବା ଶତାଧିକ ବଡ଼ ବଡ଼ କୋଠା, ସପିଂମଲ, ଆପାର୍ଟମେଣ୍ଟ ଏବଂ ହୋଟେଲ ସହିତ ଅନ୍ୟାନ୍ୟ ନିର୍ମାଣଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବ୍ରହ୍ମପୁର ମହାନଗର ନିଗମ। ମଙ୍ଗଳବାର ଏନେଇ ସହରର ପ୍ରାୟ ୧୫୦ରୁ ଅଧିକ କୋଠାକୁ ମଙ୍ଗଳବାର ନୋଟିସ କରାଯିବ। ୧୫ ଦିନ ମଧ୍ୟରେ ନୋଟିସର ଜବାବ ରଖିବାକୁ ନିର୍ଦେଶ ଦିଆଯିବ ବୋଲି ମହାନଗର ନିଗମର କମିଶନର ଜେ.ସୋନାଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସମସ୍ତ କୋଠାର ତାଲିକା ପ୍ରସ୍ତୁତ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି।

କମିଶନର ସୋନାଲ କହିଛନ୍ତି ଯେ, ଗତ କିଛି ମାସ ପୂର୍ବରୁ ବିଏମସିର ରାଜସ୍ୱ ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଥିଲା। ସେଥିରେ ସୂଚନା ମିଳିଥିଲା ଯେ, କୋଠା ନିର୍ମାଣ ପାଇଁ ବିଏମସି ପାଖରେ ପ୍ଲାନ ଆପ୍ରୂଭାଲ ସଂଖ୍ୟା ଖୁବ୍‌‌ କମ୍‌‌ ରହୁଛି। କିନ୍ତୁ ସହରରେ ଅନେକ ବଡ଼ ବଡ଼ କୋଠା ରହିଛି। ବିଏମସିର ବରିଷ୍ଠ ଅଧିକାରୀଙ୍କ ସହିତ ସହରର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରାଯାଇଥିଲା। ଅଧିକାଂଶ କୋଠା ବିନା ଅନୁମତିରେ ନିର୍ମିତ ହୋଇଥିବା ଜଣାପଡ଼ିଥିଲା। ଏଭଳି ୧୫୦ରୁ ଅଧିକ କୋଠାର ତାଲିକା ପ୍ରସ୍ତୁତ କରାଯାଇଛି। ସମସ୍ତଙ୍କୁ ନୋଟିସ୍‌‌ ପଠାଯିବ। ଏମାନଙ୍କ ମଧ୍ୟରେ ଅଧିକାଂଶ ଆଦୌ ପ୍ଲାନ ଆପ୍ରଭାଲ ନେଇନାହାନ୍ତି, କିମ୍ବା ଆପ୍ରଭାଇଲ ନେଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ବେଳେ ସେଥିରେ ଉଲଂଘନ କରିଛନ୍ତି। ସେହିଭଳି ଆଉ କେତେକ କୋଠା ନିର୍ମାଣ ହୋଇଛି, ଯେଉଁଥି ପାଇଁ ଅକ୍ୟୁପେନ୍ସି ସାର୍ଟିଫିକେଟ୍‌‌ ନିଆଯାଇ ନାହିଁ କିନ୍ତା କୋଠାକୁ ବ୍ୟବହାର କରାଯାଉଛି। ଓଡ଼ିଶା ଡେଭଲପମେଣ୍ଟ ଅଥୋରିଟି ଆକ୍ଟର ବିଭିନ୍ନ ଧାରାକୁ ଉଲଂଘନ କରାଯାଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସମସ୍ତଙ୍କୁ ନୋଟିସ ପଠାଯିବ। ଯେଉଁ ସବୁ ନିୟମକୁ ଉଲଂଘନ କରାଯାଇଛି, ତାହା ଉପରେ ଜବାବ ରଖିବାକୁ କୁହାଯିବ। ଏଥିପାଇଁ ୧୫ ଦିନ ସମୟ ଦିଆଯିବ। ତା’ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ବେଆଇନ ଭାବେ କୋଠା ନିର୍ମାଣ ଫଳରେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ପାର୍କିଂ ସ୍ଥାନ ନଥାଇ ଅନେକ କୋଠା ନିର୍ମାଣ ହୋଇଛି। ସହରରେ ବେଆଇନ ଭାବେ ଗଢ଼ିଉଠିଥିବା ସମସ୍ତ କୋଠା ସ୍କାନରରେ ରହିଛି ବୋଲି କମିଶନର ସୋନାଲ ପ୍ରକାଶ କରିଛନ୍ତି। ଅନ୍ୟପଟେ ବିଏମସିର ଏଭଳି ପଦକ୍ଷେପ ଫଳରେ ସହରର ବଡ଼ ବଡ଼ ବିଲଡର, ସପିଂ ମଲ ମାଲିକ ଏବଂ ଦୋକାନା ମାଲିକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି।

Related Articles

Back to top button