କାର୍ଯ୍ୟକ୍ଷେତ୍ରରେ ବଢ଼ୁଛି ମାନସିକ ନିର୍ଯାତନା: ବିଶ୍ବରେ ଏହି ସଂଖ୍ୟା ୫୮.୩ କୋଟି

ନୂଆଦିଲ୍ଲୀ: କାର୍ଯ୍ୟକ୍ଷେତ୍ରରେ ବଢ଼ୁଛି ଅଧିକ ମାନସିକ ନିର୍ଯାତନା। ଅଫିସ୍ ତଥା କର୍ମକ୍ଷେତ୍ରରେ ହେଉଥିବା ହିଂସା ଏବଂ ନିର୍ଯ୍ୟାତନା ଉପରେ ହୋଇଥିବା ଏକ ସର୍ଭେରୁ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ତୁଳନାରେ ମାନସିକ ନିର୍ଯ୍ୟାତନା ମାମଲା ଅଧିକ ରହିଛି ।

ଇଣ୍ଟରନାସନାଲ ଲେବର ଅର୍ଗାନାଇଜେସନ (ଆଇଏଲଓ), ଲଏଡ୍ସ ରେଜିଷ୍ଟର ଫାଉଣ୍ଡେସନ (ଏଲଆରଏଫ୍) ଏବଂ ଗାଲପ୍ ତରଫରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିଲା ଯେ, ପ୍ରାୟ ୫ ବ୍ୟକ୍ତିଙ୍କ ମଧ୍ୟରୁ ଜଣକୁ ବା ୧୭.୯ ପ୍ରତିଶତ ଲୋକ କର୍ମକ୍ଷେତ୍ରରେ ମାନସିକ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ଏହାର ଅର୍ଥ ୫୮୩ ମିଲିୟନ ବିଶ୍ବରେ କର୍ମକ୍ଷେତ୍ରରେ ଲଜ୍ଜିତ ହେବା, ଭୟଭୀତ କରାଇବା, ହଇରାଣ ଭଳି ନିର୍ଯ୍ୟାତନାର ଶିକାର ହେଉଛନ୍ତି।

ସେହିଭଳି ୧୫ ରୁ ଜଣେ ବା ୬.୩ ପ୍ରତିଶତ ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ବିଶ୍ବରେ ୨୦୫ ମିଲିୟନ କର୍ମଚାରୀଙ୍କ ଇଚ୍ଛା ବିରୋଧରେ ସେମାନଙ୍କ ଶରୀରକୁ ଛୁଇଁବା, ଟିପ୍ପଣୀ କରିବା, ଫଟୋ, ଇ-ମେଲ କରିବା, ଯୌନ ନିବେଦନ ଭଳି ନିର୍ଯ୍ୟାତନା ଦେଖିବାକୁ ମିଳିଥିଲା। ମହିଳାଙ୍କ କ୍ଷେତ୍ରରେ ଯୌନ ନିର୍ଯାତନାର ଅଧିକ ଶିକାର ହେଉଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ମାନସିକ ନିର୍ଯ୍ୟାତନା ଅଧିକ ରହିଛି।

ଶାରୀରିକ ନିର୍ଯାତନା ମଧ୍ୟ ଦେଖିବାକୁ ମିଳିଛି। ୨୭୭ ମିଲିୟନ ଲୋକ ବା ୮.୫ ପ୍ରତିଶତ ଲୋକ ମାଡ଼, ଛେପ ପକାଇବା ଭଳି  ଶାରୀରିକ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଉଭୟ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ନିର୍ଯାତନା ଦେଖିବାକୁ ମିଳିଥିଲେ ବି ପୁରୁଷଙ୍କ କ୍ଷେତ୍ରରେ ନିର୍ଯାତନା ଅଧିକ ମାତ୍ରାରେ ଦେଖିବାକୁ ମିଳିଥିଲା। ଯୁବକ, ପ୍ରବାସୀ, ମଜୁରୀ ଏବଂ ବେତନପ୍ରାପ୍ତ ମହିଳା ଏବଂ ପୁରୁଷ କର୍ମକ୍ଷେତ୍ରରେ ଅଧିକ ନିର୍ଯାତନାର ଶିକାର ହେଉଛନ୍ତି। ନିର୍ଦ୍ଦିଷ୍ଟ ଭାବେ ମହିଳାଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି।

ତେବେ ଏହି ନିର୍ଯାତନା ସଂଖ୍ୟା ଅଧିକ ଥିଲେ ବି ମାତ୍ର ଦୁଇରୁ ଜଣେ ବା ୫୪.୪ ପ୍ରତିଶତ ପୀଡ଼ିତ ଏହା ବିଷୟରେ କହିପାରୁଛନ୍ତି। ପୀଡ଼ିତ କେବଳ ବନ୍ଧୁ କିମ୍ବା ପରିବାର ଲୋକଙ୍କୁ କହିପାରୁଛନ୍ତି। ଆଇଏଲଓ ଅନୁଯାୟୀ, ସେମାନେ  ଏହି ସବୁ କଥା ବିଷୟରେ ଏଥିପାଇଁ କହିବାକୁ ଡରୁଛନ୍ତି କାରଣ ସେମାନେ ଭାବୁଛନ୍ତି ଏହା ଜଣାଇବା ଦ୍ବାରା ସମୟ ନଷ୍ଟ ହେବା ସହ ସମ୍ମାନହାନୀ ହେବ।

ରିପୋର୍ଟରେ ଏହାକୁ ରୋକିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା ନେଇ କୁହାଯାଇଛି। ଏହାସହ ହିଂସା ଏବଂ ନିର୍ଯାତନାକୁ ରୋକିବା ପାଇଁ ସଚେତନା କରାଯିବା ଦରକାର। ପ୍ରଭାବଶାଳୀ ପ୍ରତିକାର ଯୋଗାଇବା ପାଇଁ ଅନୁଷ୍ଠାନଗୁଡ଼ିକର ଦକ୍ଷତା ବୃଦ୍ଧି କରିବା  ଦରକାର ଏବଂ ସମସ୍ୟାର ମୁକାବିଲା ପାଇଁ ଏକ ସଠିକ୍ ଢାଞ୍ଚା ତିଆରି କରିବା ଦରକାର।

Related Articles

Back to top button