ସୁନା ଦୋକାନରେ ଚାକିରି କରେଇଦେବାକୁ କହି ଟଙ୍କା ନେଇ ଠକିଥିବା ବର୍ଷାଙ୍କ ନାଁରେ ଏତଲା ଦେଲେ ମହିଳା, ବର୍ଷା ରଖିଲେ ଉତ୍ତର

ଭୁବନେଶ୍ୱରଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ହୋଇଛି । ଅଭିନେତ୍ରୀ ବର୍ଷାଙ୍କ ସହ ଆୟୁଷୀ ପ୍ରିୟଦର୍ଶିନୀ ଓ ଜଣେ ବ୍ୟବସାୟୀଙ୍କ ନାଁରେ ଏତଲା ଦେଇଛନ୍ତି ଅଭିଯୋଗକାରିଣୀ । ସହିଦନଗର ଥାନାରେ ହୋଇଥିବା ଏତଲା ପ୍ରକାରେ, ଅଭିଯୋଗକାରିଣୀ କଲ୍ୟାଣୀ ନାୟକଙ୍କ ଠାରୁ ବର୍ଷା ପ୍ରୟଦର୍ଶିନୀ ୩୦ ହଜାର ଟଙ୍କା ନେଇ ଚାକିରି ଦେଇ ନାହାଁନ୍ତି ।

ପ୍ରାୟ ୭ ମାସ ତଳେ ଭୁବନେଶ୍ୱର ଜନତା ମଇଦାନରେ ମହିଳା ବେପାର ମେଳାରେ ଆୟୁଷୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ଭେଟିଥିଲେ କଲ୍ୟାଣୀ । ସେତେବେଳେ ଯୋଗାଯୋଗରେ ରହିବା ପାଇଁ ଆୟୁଷୀ ନମ୍ବର ଦେଇଥିଲେ । ପରେ ବିଭିନ୍ନ ସମୟରେ ଆୟୁଷୀ କଲ୍ୟାଣୀଙ୍କୁ ଭେଟୁଥିଲେ । ଏପରିକି ଆୟୁଷୀ ତାଙ୍କ ଫୋନରେ ବର୍ଷାଙ୍କ ସହ କଲ୍ୟାଣୀଙ୍କ କଥା କରାଇ ଥିଲେ ।

ଭରସା ଦେଇଥିଲେ ଏକ ପ୍ରତିଷ୍ଠିତ ଜୁଏଲାରୀ ଶୋ ରୁମରେ ଚାକିରି କରାଇ ଦେବେ । ଏନେଇ ସିକ୍ୟୁରିଟି ମନି ଭାବେ ବର୍ଷା, କଲ୍ୟାଣୀଙ୍କୁ ୫୦ ହଜାର ଟଙ୍କା ଡିପୋଜିଟ୍ ଦେବାକୁ କହିଥିଲେ । ଏତେ ଟଙ୍କା ଦେବାକୁ କଲ୍ୟାଣୀ ଅକ୍ଷମତା ପ୍ରକାଶ କରିବା ପରେ ୩୦ ହଜାର ଟଙ୍କାରେ କଥା ଛିଡ଼ିଥିଲା । କଲ୍ୟାଣୀ ଧାର ଉଦ୍ଧାର କରି ବହୁ କଷ୍ଟରେ ୩୦ ହଜାର ଟଙ୍କା ତାଙ୍କ ଆକାଉଣ୍ଟରୁ ବର୍ଷା ପ୍ରିୟଦର୍ଶିନୀଙ୍କ ଆକାଉଣ୍ଟକୁ ପଠାଇଥିଲେ ।

ହେଲେ ଟଙ୍କା ପାଇବା ପରେ ବର୍ଷା କିମ୍ବା ଆୟୁଷୀ ଆଉ ଫୋନ୍ ଉଠାଉ ନଥିବା କଲ୍ୟାଣୀ ଅଭିଯୋଗ ଆଣିଛନ୍ତି । ଏପରିକି ଟଙ୍କା ମାଗିବାରୁ ଆୟୁଷୀ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି କଲ୍ୟାଣୀ ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ କଲ୍ୟାଣୀ ନାୟକ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ଆଣିବା ପରେ ମୁହଁ ଖୋଲିଛନ୍ତି ବର୍ଷା । ସୋସିଆଲ୍ ମିଡିଆରେ ପୋଷ୍ଟ କରି ବର୍ଷା ଲେଖିଛନ୍ତି, ୨୦୨୦ ପରଠାରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ମୋ ନାଁରେ ଅନେକ ଅଭିଯୋଗ ଆଣି ଷଡ଼ଯନ୍ତ୍ର କରି ମତେ ଦାବି ଦେବା ପାଇଁ ପ୍ରୟାସ କରାଯାଉଛି ।


ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ମୋର ଅଖଣ୍ଡ ବିଶ୍ୱାସ ରହିଛି । ଯେତେ ବାଧା ବିଘ୍ନ ଆସିଲେ ବି ମୁଁ କେବେ ହାରି ନାହିଁ କି ହାରିବି ନାହିଁ । ସବୁବେଳେ ସତ୍ୟର ହିଁ ଜୟ ହୋଇଥାଏ ଏବଂ ତାହା ହିଁ ହେବ ବୋଲି ଦୃଢ଼ ବିଶ୍ୱାସ ଥିବା କହିଛନ୍ତି ବର୍ଷା ।

କୌଣସି ସତ୍ୟତା ନଥାଇ ଯେଭଳି ଖବର ପରିବେଷଣ ହେଉଛି ତାହା ଦୁର୍ଭାଗ୍ୟଜନକ ବୋଲି ବର୍ଷା କହିଛନ୍ତି । ତାଙ୍କ ନାଁରେ ଆସୁଥିବା ଅଭିଯୋଗ ତାଙ୍କୁ ମାନସିକ ଭାବେ କ୍ଷୁବ୍ଧ କରିଛି । ତେବେ ଯେଉଁମାନେ ଚକ୍ରାନ୍ତ କରି ତାଙ୍କ ବିରୋଧରେ ଘୃଣ୍ୟ ଅଭିଯୋଗ ଆଣିଛନ୍ତି ସେମାନଙ୍କ ବିରୋଧରେ ଆଇନର ଦ୍ୱାରସ୍ଥ ହେବେ ବୋଲି ବର୍ଷା କହିଛନ୍ତି ।

ଆଗରୁ କହିଛି ଓ ଏବେ ବି କହୁଛି ମୁଁ ଜଣେ ସାଧାରଣ ମଣିଷ । ସ୍ୱଚ୍ଛ ମନ ଓ ନିର୍ମଳ ହୃଦୟ ନେଇ ଆପଣମାନଙ୍କ ସହଯୋଗରେ ସମାଜ ପାଇଁ କିଛି କରିବାକୁ ଚାହୁଁଛି । ଏପରି ଯେତେ ଝଡ଼ ଝଞ୍ଜା ଆସୁ ମୁଁ ଭାଙ୍ଗି ପଡ଼ିବି ନାହିଁ । ମୁଁ ଯେମିତି କାମ କରୁଥିଲି ସେମିତି କରିବି । ଏସବୁ ପାଇଁ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛି ବୋଲି ବର୍ଷା ଲେଖିଛନ୍ତି ।

Related Articles

Back to top button