ଇରାନ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ବିଷ

ତେହେରାନ: ଇରାନର ରାଷ୍ଟ୍ରୀୟ ଛାତ୍ର ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଛାତ୍ରମାନେ ଇରାନ ସରକାରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବା ପାଇଁ ଧାର୍ଯ୍ୟ କରିଥିବା ଦିନର ଠିକ୍ ପୂର୍ବଦିନ ୧୨୦୦ ଛାତ୍ର ଖାଦ୍ୟ ବିଷାୟନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏହି ଛାତ୍ରମାନଙ୍କ ଖାଦ୍ୟରେ ଜାଣିଶୁଣି ବିଷାକ୍ତ ପଦାର୍ଥ ମିଶାଯାଇଥିବା ସେମାନେ ଦାବି କରିଛନ୍ତି। ଖାଦ୍ୟ ବିଷକ୍ରିୟାର ଶିକାର ଛାତ୍ରମାନଙ୍କଠାରେ ଓକାର, ବାନ୍ତି, ଦେହବିନ୍ଧା ଓ ଭୀଷଣ ମୁଣ୍ଡବିନ୍ଧା ପରି ଲକ୍ଷଣ ଦେଖିବାକୁ ମିଳୁଛି। ଖାରାଜମି ଓ ଆର୍କ ବିଶ୍ବବିଦ୍ୟାଳୟ ଛାତ୍ରମାନଙ୍କର ଏହି ଅବସ୍ଥା ଦେଖି ସୁସ୍ଥ ଥିବା ଅନ୍ୟ ଛାତ୍ରମାନେ ବିଶ୍ବବିଦ୍ୟାଳୟ କ୍ୟାଣ୍ଟିନରେ ଖାଇବା ବନ୍ଦ କରିଦେଇଛନ୍ତି।

କୌଣସି ଜଳବାହିତ ବୀଜାଣୁ ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଥାଇପାରେ ବୋଲି ଅଧିକାରୀମାନେ କହୁଥିବା ବେଳେ ଛାତ୍ରମାନେ ସେମାନଙ୍କୁ ଜାଣିଶୁଣି ବିଷ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ପୂର୍ବରୁ ଇସ୍‌ଫାହାନ ବିଶ୍ବବିଦ୍ୟାଳୟରେ ଅନୁରୂପ ବିଷପ୍ରୟୋଗ ଘଟଣା ଘଟିଥିଲା। ତେଣୁ କର୍ତ୍ତୃପକ୍ଷଙ୍କ ସଫେଇ ମିଛ ଏବଂ ଛାତ୍ରମାନଙ୍କ ପ୍ରତିବାଦ ପ୍ରଦର୍ଶନକୁ ବାଟବଣା କରିବା ପାଇଁ ଜାଣିଶୁଣି ଷଡ଼୍‌ଯନ୍ତ୍ର କରାଯାଇଛି ବୋଲି ସେମାନେ କହିଛନ୍ତି।

Related Articles

Back to top button