ଲିଜ୍-ହୋଲ୍ଡ୍ ଜମିର ଫ୍ରି-ହୋଲ୍ଡ୍ ପରିବର୍ତ୍ତନକୁ ସହଜ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ
ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରରେ ଭୁସଂପତି ଖଣ୍ଡିଏର ଚିରଦିନ ମାଲିକାନା ପାଇବା ବହୁଲୋକଙ୍କ ସ୍ୱପ୍ନ। ଏହାକୁ ସାକାର କରିବା ଦିଗରେ ଅନ୍ୟଏକ ବଡ଼ ପଦକ୍ଷେପ ଭାବେ ସରକାରଙ୍କ ଠାରୁ ମିଳିଥିବା ଲିଜ୍-ହୋଲ୍ଡ୍ ଜମିର ଫ୍ରି-ହୋଲ୍ଡ୍ ପରିବର୍ତ୍ତନକୁ ସହଜ ଓ ସୁଗମ କରିବା ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଜମିର ମାଲିକାନା ହସ୍ତାନ୍ତର ସମ୍ବନ୍ଧିତ ବିଭିନ୍ନ ଦିଗ ଏବଂ ପ୍ରଚଳିତ ନିୟମାବଳୀକୁ ବିଚାର କରି ଏହି କ୍ଷମତା ଉନ୍ନୟନ କର୍ତ୍ତୁପକ୍ଷ ଏବଂ ରାଜ୍ୟ ହାଉସିଂ ବୋର୍ଡଙ୍କୁ ବିକେନ୍ଦ୍ରୀକରଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ଏହା ହେଲେ ଅଣ-ବ୍ୟବସାୟିକ ଘରୋଇ ବାସଗୃହ ନିମନ୍ତେ ଜମି ଲିଜ୍ଧାରୀ ବ୍ୟକ୍ତିମାନେ ସହଜ ଓ ସୁବିଧାରେ ଫ୍ରି-ହୋଲଡ୍କୁ ପରିବର୍ତ୍ତନ ସେବା ପାଇ ପାରିବେ। ଏଥିପାଇଁ ନିର୍ଦ୍ଦିଷ୍ଟ କ୍ଷମତା ବିକେନ୍ଦ୍ରୀକରଣ ଓ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ଶ୍ରୀ ମହାପାତ୍ର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏକ ସପ୍ତାହ ମଧ୍ୟରେ ଏହି ପ୍ରସ୍ତାବ ସରକାରଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିବା ପାଇଁ କୁହାଯାଇଥିଲା।