ରବି ଫସଲ ଲାଗି ୧୧.୨୬ ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ

ଭୁବନେଶ୍ବର : ରାଜ୍ୟ ସରକାର ୨୦୨୨-୨୩ ବର୍ଷ ରବି ଫସଲ ଲାଗି ୧୧.୨୬ ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଗତବର୍ଷ ଏହି ଲକ୍ଷ ୧୦.୫୦ଲକ୍ଷ ହେକ୍ଟର ଥିବାବେଳେ ଏବେ ଏହାକୁ ବୃଦ୍ଧି କରାଯାଇଛି। ବାସ୍ତବରେ ଯେଭଳି ଏହି ପରିମାଣର ଜମିକୁ ଜଳସେଚନ ହୋଇ ପାରିବ ତା’ ଉପରେ ଗୁରୁତ୍ବ ଦେବାକୁ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଅନୁ ଗର୍ଗ ଗୁରୁତ୍ବାରୋପ କରିଛନ୍ତି।
ନିକଟରେ ଶ୍ରୀମତୀ ଗର୍ଗଙ୍କ ଅଧ୍ୟକ୍ଷତାରେ ଜଳ ସମ୍ପଦ ଏବଂ କୃଷି ବିଭାଗର ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୃଷି ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ ସ୍ବଳ୍ପ ଜଳ ବ୍ୟବହାରରେ ହେଉଥିବା ବିଭିନ୍ନ ପୁଷ୍ଟିକର ଶସ୍ୟ ମାଣ୍ଡିଆ, ଯଅ ପ୍ରଭୃତି ଅର୍ଥକାରୀ ଫସଲକୁ ନେଇ ଜଳସେଚନ ଉପରେ ଗୁରୁତ୍ବ ଦେଇଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ, ରବି ଋତୁ ସୁଦ୍ଧା କିଭଳି ୧୧.୨୬ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ହୋଇପାରିବ ସେ ଦିଗରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଗୁରୁତ୍ବ ଦେବେ। ରବି ଆୟକଟରେ ୧୨ଲକ୍ଷ ହେକ୍ଟରରୁ ଊର୍ଦ୍ଧ୍ବ ଜମି ରହୁଥିବାବେଳେ ରବି ପ୍ରୋଗ୍ରାମରେ ଚଳିତବର୍ଷ ୧୧.୨୬ଲକ୍ଷ ହେକ୍ଟର ଚାଷଜମି ନିଆଯାଇଛି। ଏହା ମଧ୍ୟରେ ଥିବା ଅନ୍ତର(ଗ୍ୟାପ୍)କୁ ଆସନ୍ତାବର୍ଷ ହ୍ରାସ କରିବା ଲାଗି ଉଭୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିଲାଗି ଉଦ୍ୟାନ କୃଷି ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ବାରା ସୃଷ୍ଟି କରାଯାଇଥିବା ‘ଆମ ଜଳାଶୟ’ ବ୍ୟବହାର କରାଯିବ। ଜଳ ସେଚନ କ୍ଷମତା ବୃଦ୍ଧି ଏବଂ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ପ୍ରତି ୧୫ ଦିନରେ ଥରେ ସମନ୍ବୟ ବୈଠକ ଆୟୋଜିତ ହେବ। ସେହିପରି ଫସଲ ବିବିଧିକରଣ, ଅଣ ଧାନ ଫସଲ ଯେପରିକି ମାଣ୍ଡିଆ, ଯଅ, ବାଜରା, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକରୀ ଫସଲ ଯାହା ପାଇଁ କମ ଜଳର ଆବଶ୍ୟକତା ରହିଛି। ଏହିଭଳି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ କୃଷି ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ। ଏହି ସବୁ ଲକ୍ଷ୍ୟ ପୂରଣ ଲାଗି ନିୟମିତ ବ୍ୟବଧାନରେ ନିର୍ଦେଶକସ୍ତରୀୟ ବୈଠକ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ୬୧ଲକ୍ଷ
୮୦ ହଜାର ହେକ୍ଟରରୁ ଅଧିକ ଚାଷ ଉପଯୋଗୀ ଜମି ରହିଥିବାବେଳେ ଇତିମଧ୍ୟରେ ୨୨ଲକ୍ଷ ୪୬ ହେକ୍ଟର ଜମିରେ ଜଳ ସେଚନ ସୁବିଧା କରାଯାଇଛି। ଏହାବାଦ୍‍ ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧୩,୪୬,୪୦୫ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ହୋଇଛି।

Related Articles

Back to top button