ସର୍ବନିମ୍ନ ୭ଡିଗ୍ରୀ ତାପମାତ୍ରାରେ ଥରୁଛି କୋରାପୁଟ

କୋରାପୁଟ :  ସର୍ବନିମ୍ନ ୭ଡିଗ୍ରୀ ତାପମାତ୍ରାରେ ଥରୁଛି କୋରାପୁଟ। ଆଦିବାସୀ ଗାଁ ଦାଣ୍ଡରେ ଜଳେ କାଠ ଗଣ୍ଡିର ନିଆଁ। ନିଆଁ ଆଲୁଅରେ ବିଳମ୍ବିତ ଶୀତ ରାତିରେ ଚାଲେ ଢେମ୍‌ସା, ମନ ମିଶେ, ଶୀତ ହଜିଯାଏ ଧାଙ୍ଗଡ଼ାର ଅପାସୋର ଗୀତରେ। ଅଳସୀ ଫୁଲର କ୍ଷେତରୁ କୁହୁଡ଼ି ଫେରିଗଲା ବେଳକୁ ପୁଣି ଶୀତ ଠିଆ ହୁଏ ଅପରାହ୍ଣର ଦାଣ୍ଡ ପିଣ୍ଡାରେ। ଡାକେ, ସତେ ଯେମିତି ନାନାବାୟା ଗୀତ ଗାଇ ମଣିଷକୁ ସୁଆଇଦିଏ ଅସରନ୍ତି ସ୍ବପ୍ନର କାକର ଶେଯରେ। କୋରାପୁଟିଆ ଶୀତ ସବୁବେଳେ ଏମିତି, କେବେ ଟୋପାଟୋପା କାକର ଦିଶୁଥାଏ, ହସୁଥାଏ ତ କେବେ କୁହୁଡ଼ି ହୋଇ ଭିଜେଇ ଦିଏ, ପୁଣି କେବେ ଲୁଚାଇ ଦିଏ ବୋଲି କହନ୍ତି ବରିଷ୍ଠ କବି ରବି ଶତପଥି।
ଜିଲା ଜରୁରୀ ବିଭାଗ ସୂତ୍ର ଅନୁସାରେ ଗୁରୁବାର ସର୍ବୋଚ୍ଚ ତାପମାତ୍ରା ୨୫ଡିଗ୍ରୀ ରହିଥିବାବେଳେ ସର୍ବନିମ୍ନ ତାପମାତ୍ରା ୭.୮ଡିଗ୍ରୀ ରହିଛି। ଦୁଇ ତିନିଦିନ ହେଲା ଏଭଳି ତାପମାତ୍ରା ଲାଗି ରହିଥିବାବେଳେ ଆଗାମୀ ଜାନୁଆରୀ ମାସ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ସାମାନ୍ୟ ଉପର ତଳ ହୋଇପାରେ ବୋଲି ବିଭାଗ ଅନୁମାନ କରୁଛି। ଅନ୍ୟପକ୍ଷରେ ଶୀତର ପ୍ରକୋପ ସାଙ୍ଗକୁ କୋରାପୁଟକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାରେ ଲାଗିଛି। ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବାବେଳେ ଆନମନା କରୁଛି ସକାଳର କୁହୁଡ଼ି ଓ ସଞ୍ଜର ସୁନେଲି ଆକାଶ। କରୋନା କାଳରେ କୋରାପୁଟକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିଥିବାବେଳେ ଚଳିତବର୍ଷ ନଭେମ୍ବର ମାସରୁ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହୋଇଛି। ଡିସେମ୍ବର ପ୍ରଥମ ସପ୍ତାହରେ ପର୍ଯ୍ୟଟକ ସଂଖ୍ୟାରେ ଆଶାତୀତ ବୃଦ୍ଧି ପରିଲକ୍ଷିତ ହୋଇଛି। ଆଗାମୀ ଫେବୃୟାରୀ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିବ ବୋଲି ଆଶା କରାଯାଉଛି। କରୋନା କାଳରେ ସୁପ୍ତ ପ୍ରାୟ ପର୍ଯ୍ୟଟନଶିଳ୍ପରେ ଜୀବନ ଭରି ଦେଇଛି ଚଳିତବର୍ଷ ପର୍ଯ୍ୟଟକଙ୍କ ଆଗମନ। ଗତବର୍ଷ ଅପେକ୍ଷା ଚଳିତବର୍ଷ ୧୦ରୁ ୧୫ପ୍ରତିଶତ ପର୍ଯ୍ୟଟକଙ୍କ ଆଗମନ ବଢ଼ିଥିବା ଜିଲା ପର୍ଯ୍ୟଟନ ବିଭାଗ ସୂତ୍ରରୁ ଜଣାପଡ଼ିଛି।  ଏପରିକି ସର୍ବଦା ବିଦେଶୀ ପର୍ଯ୍ୟଟକଙ୍କୁ ଅପେକ୍ଷା କରିଥିବା କୋରାପୁଟ ଜିଲାର ଅନକାଡେଲି ହାଟ କରୋନା କଟକଣା ପରେ ଜୀବନ୍ୟାସ ପାଇଛି। ଚଳିତବର୍ଷ କଟକଣା ହଟିବା ପରେ ଏବେ ବଣ୍ଡା ହାଟ ବୁଲିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବଢ଼ିଲାଣି। କୋରାପୁଟର ଶାବରଶ୍ରୀକ୍ଷେତ୍ର ସମେତ ଲମତାପୁଟର ମାଛକୁଣ୍ଡ, ନନ୍ଦପୁରର ରାଣୀଡୁଡୁମା, ବାଲ୍‌ଡା ନାଗେଶ୍ବରୀ ଗୁମ୍ଫା ସମେତ ପୁଞ୍ଜିସିଲ୍‌, ଗାଲିଗବଦର ଜଳପ୍ରପାତ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି। ସବୁଠାରୁ ଅଧିକ ଭିଡ଼ ସର୍ବୋଚ୍ଚ ଗିରିଶୃଙ୍ଗ ଦେଓମାଳିରେ ପରିଲକ୍ଷିତ ହୋଇଛି। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଚଳିତବର୍ଷ ସେଠାରେ ପାରାଗ୍ଲାଇଡିଂ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ଦେଓମାଳିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ କୁହୁଡ଼ିଭରା ଦୃଶ୍ୟ ପର୍ଯ୍ୟଟକଙ୍କୁ ମତୁଆଲା କରିଛି।

Related Articles

Back to top button