ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ୬୫ ବର୍ଷ ବୟସରେ ପରଲୋକ

ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଓ ଦୁଇଥର ଯାଜପୁରରୁ ସାଂସଦ ନିର୍ବାଚିତ

ଭୁବନେଶ୍ବର: ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ପୂର୍ବତନ ସାଂସଦ ମୋହନ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ ।  ୬୫ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ। ସୋମବାର ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ ହୋଇଥିବା ନେଇ ତାଙ୍କର ଝିଅ ଆଦ୍ୟା ଅନିନ୍ଦିତା ସୂଚନା ଦେଇଛନ୍ତି।
ଯାଜପୁରରୁ ଦୁଇଥର ସାଂସଦ ନିର୍ବାଚିତ ହୋଇଥିଲେ ମୋହନ ଜେନା। ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ ସେ ବିଜେଡି ଟିକେଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।
ମୋହନ ଜେନା ଯାଜପୁର ବଡଚଣାର ଶାସନସିମାରେ ୧୪ ଜୁଲାଇ ୧୯୫୭ରେ ଜନ୍ମଗ୍ରହଣ କରିଥିଲେ। କେନ୍ଦ୍ରାପଡା କଲେଜରେ ବିଏ ପାସ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମାଜ ବିଜ୍ଞାନରେ ଏମଏ ଡିଗ୍ରୀ ହାସଲ କରିଛନ୍ତି। ୧୯୮୨-୮୩ରେ ମୋହନ ଜେନା ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ଏକାଧାରରେ ଜଣେ ଲୋକପ୍ରିୟ ନେତା, ସମାଜସେବୀ, ପ୍ରକାଶକ ଥିଲେ। ୧୯୯୨-୧୯୯୪ ପର୍ଯ୍ୟନ୍ତ ସେ ଯୁବ ଜନତା ଦଳର ସାଧାରଣ ସମ୍ପାଦକ, ୧୯୯୪-୯୮ ପର୍ଯ୍ୟନ୍ତ ଜନତା ଦଳର ସମ୍ପାଦକ ଥିଲେ। ୨୦୦୪ ମସିହାରେ ସେ ବିଜେଡି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ଜିତି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ ଲୋକସଭାର ଗ୍ରାମ୍ୟ ଉନ୍ନୟନ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ କମିଟିର ସଦସ୍ୟ ମଧ୍ୟ ରହିଥିଲେ। ସେହିପରି ୨୦୦୯ରେ ତାଙ୍କୁ ପୁଣି ବିଜେଡି ପକ୍ଷରୁ ଟିକେଟ ଦିଆଯାଇଥିଲା। ଆଉ ୨୦୦୯ ମସିହାରେ ବି ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ବି ତାଙ୍କୁ ଲୋକସଭାର ଜଳ ସମ୍ବଳ, ଆଦିବାସୀ ଉନ୍ନୟନ କମିଟିରେ ସଦସ୍ୟ ଭାବେ ସ୍ଥାନ ମିଳିଥିଲା। ୨୦୧୯ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ।
କିଡ୍‌ନୀ ଜତିତ ରୋଗରେ ଆକ୍ରାନ୍ତ ହୋଇ ପ୍ରାୟ ୨୦ଦିନ ହେଲା ମୋହନ ଜେନା ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ସେ ଅଧିକ ଗୁରୁତର ହୋଇପଡ଼ିଥିଲେ। ଡାକ୍ତରଖାନାରେ ଏକ ସ୍ବତନ୍ତ୍ର ଡାକ୍ତରୀଦଳ ତାଙ୍କର ତତ୍କାଳ ଚିକିତ୍ସା କରିଥିଲେ ମଧ୍ୟ ସେମାନଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। ପରିଶେଷରେ ମୋହନ ଜେନାଙ୍କ ପରଲୋକ ହୋଇଥିଲା। ଆସନ୍ତାକାଲି ତାଙ୍କର ମୃତଦେହ ଭୁବନେଶ୍ବରରୁ ନିଜ ଜନ୍ମସ୍ଥାନକୁ ନିଆଯିବ ଏବଂ ଏହାପରେ ସଂସ୍କାର କରାଯିବ ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Back to top button