ବିଳମ୍ବିତ ରାତି ଯାଏ ଖୋଲାଥିବା ଡାନ୍ସ ବାରକୁ କାରଣ ଦର୍ଶାଅ ନୋଟିସ୍ ଜାରି

ଭୁବନେଶ୍ୱର: ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ ଚଲାଇବା ପଡିଲା ମହଙ୍ଗା। ଦୁଇଟି ବାରକୁ ଅବକାରୀ ବିଭାଗ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏହି ଦୁଇ ବାର ହେଲେ ଏକାମ୍ର ବାର ଓ ରଙ୍ଗିଲା ବାର। ଗତକାଲି ଅବକାରୀ ଟିମ୍ ଏକକାଳୀନ 8ଟି ବାରରେ ଚଢ଼ାଉ କରିଥିଲା। ଲକ୍ଷ୍ମୀସାଗର ପୋଲିସ ସହାୟତାରେ ଏହି ରେଡ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ବିଳମ୍ବିତ ରାତି ଯାଏ  ବାର ଚାଲୁଥିଲା। ଆଉ ସିକ୍ରେଟ ଚ୍ୟାମ୍ବରରେ ଅନୈତିକ କାର୍ଯ୍ୟ ଚାଲୁଥିଲା। ଆଗରେ ବାର୍‌ ଭିତରେ ଦେହ ବ୍ୟବସାୟ  ଚାଲୁଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବାର ଭିତରେ ଏପରି ଅନୈତିକ କାମ କରାଯାଇ ସେକ୍ସ ରାକେଟକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ଅଭିଯୋଗ ରହିଥିଲା। ଏହାପରେ ଅବକାରୀ ଟିମ୍ ଗତକାଲି ଲକ୍ଷ୍ମୀସାଗର ଥାନା ଅଧିକାରୀଙ୍କ ନେତୃତ୍ବରେ ଏକାମ୍ର, ଦିପାଳୀ, ପେଣ୍ଟାଗନ, ରେନ୍ ଦ କ୍ଲବ,ଲିଭ୍ ଇଟ୍ ଅପ୍,ରଙ୍ଗିଲା ବାର ଉପରେ ଚଢ଼ାଉ କରିଥିଲା। ଏଥିସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା।

ଏହାପରେ ଏକାମ୍ର ବାର ଏବଂ ରଙ୍ଗିଲା ବାର ବିଳମ୍ବିତ ରାତି ଯାଏ ଚାଲିଥିବା ଜଣାପଡିବା ପରେ ପୁଲିସ କାରଣଦର୍ଶାଅ ନୋଟିସ୍ ଜାରି କରିଛି। ରାତି 12ଟା ଯାଏ ବାର ଖୋଲିବାକୁ ଅନୁମତି ରହିଥିବା ବେଳେ 12ଟା 15 ମିନିଟ୍ ଯାଏ କେଉଁ ଆଧାରରେ ଖୋଲା ହୋଇଥିଲା ତାର ଉତ୍ତର ରଖିବେ ଦୁଇ ବାର ମାଲିକ।

ଅନ୍ୟପଟେ ବିଭିନ୍ନ ବାରରେ ଚାଲିଥିବା ଅନୈତିକ କାମ ଚାଲିଥିବା ନେଇ ଯେଉଁ ସୂଚନା ରହିଛି ଏ ଦିଗରେ ପୁଲିସ କି ପଦକ୍ଷେପ ନେଉଛି ତା ଉପରେ ନଜର ରହିଛି।

Related Articles

Back to top button