ନାଗ ଦମ୍ପତିଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିପାରେ ଇଡି
ଭୁବନେଶ୍ୱର: ଫିଟିବ ନାଗ ଦମ୍ପତିଙ୍କ ଗୁମର। ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣିବାକୁ ଇଡି ଯୋଜନା କରୁଛି । ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ଆଣି ପ୍ରବର୍ତ୍ତନ ନିର୍ଦେଶାଳୟ ଜେରା କରିଥିବା ବେଳେ, ଅର୍ଚ୍ଚନା କିଛି ମୁହଁ ଖୋଲିନଥିବା ଇଡି କହିଛି। ଆଜି ଅର୍ଚ୍ଚନାଙ୍କ ରିମାଣ୍ଡର ଅବଧି ଶେଷ ହୋଇଥିବାରୁ ଆସନ୍ତାକାଲି ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରାଯିବ। ଆସନ୍ତାକାଲି ମଧ୍ୟ ଜଗବନ୍ଧୁ କୋର୍ଟରେ ହାଜର ହେବ । ତେଣୁ ଉଭୟଙ୍କୁ ଏକାଠି ରିମାଣ୍ଡରେ ଆଣିବାକୁ କାଲି କୋର୍ଟରେ ଆବେଦନ କରିପାରେ ଇଡି । ଇଡିର ଆବେଦନ ଅନୁସାରେ ଯଦି କୋର୍ଟ ଅନୁମତି ଦିଅନ୍ତି, ତେବେ ଇଡି ଉଭୟଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବ ବୋଲି ଜଣାପଡ଼ିଛି ।
ଗତ ୬ ତାରିଖରୁ ଅର୍ଚ୍ଚନାଙ୍କୁ ଇଡି ରିମାଣ୍ଡରେ ଆଣିଥିଲା। ରିମାଣ୍ଡରେ ଆଣିବା ପୂର୍ବରୁ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା ଇଡି । ସ୍ୱାସ୍ଥ୍ୟପରୀକ୍ଷା କରିବା ସମୟରେ ଅର୍ଚ୍ଚନା ଡାକ୍ତରଖାନାରୁ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ରଖିଥିଲେ । ତାଙ୍କୁ ସମୟ ମିଳିଲେ ସେ ସମସ୍ତ କଥା ତଥ୍ୟ ପ୍ରମାଣ ସହ କହିବେ ବୋଲି କହିଥିଲେ । ତାହାଛଡ଼ା ସେ ଆହୁରି କଧ୍ୟ କହିଥିଲେ ମୋତେ ମାତ୍ର ୩୦ ମିନିଟ୍ ସମୟ ଦରକାର।
ସମୟ ଦେଲେ ମୁଁ ସବୁ କହିବି। ମୁଁ କହିବା ଆରମ୍ଭ କଲେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ। ତାଙ୍କୁ ଫସାଇ ଦିଆଯାଇଛି। ପଣସ ଖାଇ ତାଙ୍କ ମୁଣ୍ଡରେ ଅଠା ବୋଳାଯାଇଛି। ଦୁଇ ଜଣ ତାଙ୍କୁ ଫସାଇଛନ୍ତି ବୋଲି କହିଥିଲେ ଅର୍ଚ୍ଚନା। ହେଲେ ଏତେ ସବୁ କହିବା ପରେ ମଧ୍ୟ ଇଡି ଆଗରେ ଅର୍ଚ୍ଚନା ମୁହଁ ନଖୋଲିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଅର୍ଚ୍ଚନାଙ୍କୁ କେହି ପ୍ରଭାବଶାଳୀ ବ୍ୟକ୍ତି ଚାପ ପକାଉଥିବା ସାଧାରଣରେ କୁହାଯାଉଛି।