ପକ୍ସୋ ଆଇନରେ ପୀଡିତାଙ୍କ କ୍ଷେତ୍ରରେ ଧାର୍ଯ୍ୟ ବୟସ ସୀମାର ପୁନର୍ବିଚାର ହେଉ : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା (ପକ୍ସୋ) ଆଇନ ୨୦୧୨ରେ ପୀଡିତାଙ୍କ କ୍ଷେତ୍ରରେ ଧାର୍ଯ୍ୟ ବୟସ ସୀମା ଉପରେ ପୁନର୍ବିଚାର କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ପ୍ରସ୍ତାବ ଦେଇଛନ୍ତି। ୨୦୧୨ ମସିହାରେ ପ୍ରଣୟନ ହୋଇଥିବା ଏହି ଆଇନ ଅନୁଯାୟୀ ୧୮ବର୍ଷରୁ କମ୍ ବୟସର ପୀଡିତାଙ୍କ କ୍ଷେତ୍ରରେ ହୋଇଥିବା ଯୌନ କାର୍ଯ୍ୟକୁ ଅପରାଧ ବୋଲି ବିବେଚନା କରାଯାଉଛି। ଏପରି କ୍ଷେତ୍ରରେ ଯୌନ କାର୍ଯ୍ୟ ପଛରେ ପୀଡିତାଙ୍କ ସମ୍ମତିକୁ ମଧ୍ୟ ଗ୍ରହଣ କରାଯାଉ ନାହିଁ। ତେଣୁ ଏହି ମାମଲାର ବିଚାର ନିମନ୍ତେ ବିଚାରପତିମାନେ ବଡ ଆହ୍ବାନର ସମ୍ମୁଖୀନ ହେଉଛନ୍ତି ବୋଲି ପ୍ରଧାନ ବିଚାରପତି କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ପକ୍ସୋ ଆଇନରେ ରହିଥିବା ନିୟମ ସମସ୍ତଙ୍କ ପାଇଁ ଉଦ୍‌ବେଗର ବିଷୟ ହୋଇଥିବାବେଳେ ସମସ୍ତେ ନିରବତା ଅବଲମ୍ବନ କରୁଛନ୍ତି। ମାତ୍ର ଏହି ପ୍ରସଙ୍ଗ ଉପରେ ସମସ୍ତ ପକ୍ଷ ଆଲୋଚନା ପୂର୍ବକ ଆଇନରେ ସଂଶୋଧନ ଦିଗରେ ବ୍ୟବସ୍ଥାପିକା ସଭା (ସଂସଦ) ପଦକ୍ଷେପ ନେବା ଦରକାର। ଅନେକ କ୍ଷେତ୍ରରେ ପୀଡିତାଙ୍କ ସମ୍ମତି ଭିତ୍ତିରେ ଯୌନ କାର୍ଯ୍ୟ ହେଉଥିବାବେଳେ ତାଙ୍କ ବୟସକୁ ଆଧାର କରି ଏହି ସମ୍ମତିକୁ ଆଇନରେ ଗ୍ରହଣ କରାଯାଉ ନାହିଁ। ଏପରି କ୍ଷେତ୍ରରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଛି। ଅନେକ କ୍ଷେତ୍ରରେ ପୀଡିତା ନାବାଳିକାର ପରିବାର ଲୋକ ଉଦ୍ଦେଶ୍ୟମୂଳକ ଭାବେ ମାମଲା ରୁଜୁ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି। ପକ୍ସୋ ଆଇନ କାର୍ଯ୍ୟକାରିତା ସମ୍ପର୍କରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀକୁ ଉଦ୍‌ଘାଟନ କରି ପ୍ରଧାନ ବିଚାରପତି ଏହା କହିଛନ୍ତି। ପକ୍ସୋ ଆଇନ ଆଧାରରେ ରୁଜୁ ହେଉଥିବା ମାମଲାରେ ପୁଲିସକୁ ଯେଉଁ କ୍ଷମତା ପ୍ରଦାନ କରାଯାଇଛି ତାହା ମଧ୍ୟ ପୁନର୍ବିଚାର ଲାଗି ସେ ପ୍ରସ୍ତାବ ଦେଇଛନ୍ତି। ସମ୍ମିଳନୀରେ ଉପସ୍ଥିତ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ ଯେ ପକ୍ସୋ ଆଇନ ଅନୁଯାୟୀ ରୁଜୁ ହେଉଥିବା ମାମଲାର ବିଚାର ତ୍ବରାନ୍ବିତ କରାଯିବା ଦରକାର। ଏହିସବୁ ମାମଲାରେ ପୀଡିତାଙ୍କୁ କ୍ଷତିପୂରଣ ପ୍ରଦାନ ଦିଗରେ ତ୍ବରିତ ପଦକ୍ଷେପ ନିଆଯିବା ଉଚିତ୍। ମନ୍ତ୍ରୀ ଇରାନୀ କହିଥିଲେ ଯେ ପକ୍ସୋ ଆଇନ ଅନୁଯାୟୀ ରୁଜୁ ହେଉଥିବା ପ୍ରତିଟି ମାମଲାର ବିଚାର ନିମନ୍ତେ ହାରାହାରି ୫୦୯ଦିନ ଲାଗୁଛି। ତେଣୁ ମାମଲାର ତ୍ବରିତ ବିଚାର ଦିଗରେ ବିଚାରପତିମାନେ ଆବଶ୍ୟକ ପ୍ରସ୍ତାବ ଦେବା ଦରକାର ବୋଲି ସେ କହିଥିଲେ।

Related Articles

Back to top button