ଭୁବନେଶ୍ୱର ରାସ୍ତାରେ ଛିଡ଼ା ହୋଇ ପାରିବେନି ଭିକାରୀ ଓ କିନ୍ନର: ହକି ବିଶ୍ୱକପ ପାଇଁ କମିଶନରେଟ୍ ପୋଲିସର କଟକଣା

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ମାସରୁ ରାଜ୍ୟର ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏହି ବିଶ୍ୱସ୍ତରୀୟ ଇଭେଣ୍ଟ ସମୟରେ ଦେଶ ବିଦେଶର ଅନେକ ଯାତ୍ରୀ ରାଜ୍ୟକୁ ଆଗମନ କରିବେ । ତେଣୁ ସେ ସମୟରେ ରାସ୍ତାରେ କିପରି ଭିଡ଼ ନ ଜମିବ, ଚାରିଆଡ଼େ ପରିଷ୍କାର ପରିଚ୍ଛନ୍ନ ଦେଖାଯିବ, ବୁଲା ଗାଈଗୋରୁଙ୍କୁ ନିୟନ୍ତ୍ରଣ କରାଯିବ ସେନେଇ ପଦକ୍ଷେପ ନିଆଯାଉଛି ।

ତେବେ ବିଶ୍ୱକପକୁ ଦୃଷ୍ଟିରେ ରାଜଧାନୀର ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନହେବ, ସେଥିପାଇଁ କମିଶନରେଟ୍ ପୋଲିସ ସଜାଗ ହୋଇଛି । ଏହି ସମୟରେ ରାଜଧାନୀରେ ବଞ୍ଜାରା, ଭିକାରୀ ଓ କିନ୍ନରଙ୍କ ଉପରେ ନଜର ରଖାଯିବ । ବିଶେଷ କରି କିନ୍ନରମାନଙ୍କୁ ରାଜଧାନୀର ରାଜରାସ୍ତାରେ ଛିଡ଼ା ନହେବାକୁ ବାରଣ କରାଯାଇଛି । ଅଧିକାଂଶ ସମୟରେ କିନ୍ନରମାନେ ରାତି ଅଧରେ ରାସ୍ତାକଡ଼ରେ ଛିଡ଼ା ହେଉଥିବା ଦେଖାଯାଉଛି । ତେଣୁ ପୋଲିସ ପକ୍ଷରୁ ଏ ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଛି ।

ଯଦି କୌଣସି କିନ୍ନର ଛିଡ଼ା ହୋଇ ଅନୈତିକ କାର୍ଯ୍ୟରେ ଲିପ୍ତ ରୁହନ୍ତି ତେବେ ତାଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି । ଏଥିସହିତ ସମସ୍ତ ଥାନାଧିକାରୀଙ୍କୁ ଏଭଳି ତାଗିଦ୍ ମଧ୍ୟ କରାଯାଇଛି । ଏଥିସହିତ ଯଦି କୌଣସି ସ୍ଥାନରେ ଏକାଧିକ ବ୍ୟକ୍ତି ଖଟି କରୁଥିବେ, ତାଙ୍କୁ ଉଠାଇ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button