ଖଟେ ନ ଶୋଇ ତଳେ ଶୋଉଥିବା ଦେବଗଡ଼ର ଆଦିବାସୀ ଗାଁ ଟିପିରିସିଂହା

ଦେବଗଡ଼ :  ପୂର୍ବ ପ୍ରଚଳିତ ପ୍ରଥା ଓ ପରମ୍ପରାକୁ ମାନିବା କିଛି ନୂଆଁ କଥା ନୁହେଁ। କିନ୍ତୁ ବିଂଶ ଶତାବ୍ଦୀର ଏହି ବିଜ୍ଞାନ ଯୁଗରେ ଲୋକ କଥା ବା କିମ୍ବଦନ୍ତୀ ଅଧାରରେ ଏକ ନିର୍ଦ୍ଦିଷ୍ଟ ଗ୍ରାମର ଗ୍ରାମବାସୀ ଆବାହମାନ କାଳରୁ ପିଢ଼ି ପରେ ପିଢ଼ି ଖଟେ ନ ଶୋଇ ତଳେ ଶୋଇବା ଘଟଣା ନିଶ୍ଚିତ ଭାବେ ବିରଳ। ଏଭଳି ଏକ ନିଆରା ଚଳଣି ପ୍ରଚଳିତ ହୋଇଆସୁଛି ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଟିପିରିସିଂହାରେ।
ଦେବଗଡ଼ ଜିଲାର ପଛୁଆ ଅଞ୍ଚଳ ଭାବେ ପରିଚିତ ଲଇମୁରା ଗ୍ରାମ ପଞ୍ଚାୟତରେ ଅଛି ଆଦିବାସୀ ଗ୍ରାମ ଟିପିରିସିଂହା। ହେଲେ ଶୋଇବା ପାଇଁ କାହାରି ଘରେ ଖଟ ନାହିଁ। କାରଣ ​କେହି ଖଟ ବ୍ୟବହାର କରନ୍ତି ନାହିଁ। ପଟିଆ ବା ମଶିଣା ପକାଇ ତଳେ (ଚଟାଣରେ) ଶୋଇଥାନ୍ତି। କାରଣ ଲୋକକଥା ଅନୁଯାୟୀ ଗ୍ରାମବାସୀଙ୍କର ବିଶ୍ୱାସ ଯେ ଖଟରେ ଶୋଇଲେ ଖଟ ଓଲଟିଯାଏ। ଘରେ ସାପ ଆଦି ସରୀସୃପ ବାହାରିବା ସହ ଘରେ ଓ ଗ୍ରାମରେ ବିପଦ ପଡ଼ିଥାଏ। ଏଣୁ ଗ୍ରାମବାସୀମାନେ ଖଟ ବ୍ୟବହାର ନକରି ତଳେ ପଟିଆ ପକାଇ ଶୋଇଥାନ୍ତି। ଏପରିକି କେହି ବିବାହ କଲେ ମଧ୍ୟ ଉପହାରରେ ଖଟ ନଆଣି ପଟିଆ ବା ମଶିଣା ଆଣିଥାନ୍ତି। ଲୋକଙ୍କ କହିବା ଅନୁଯାୟୀ ଏକଦା ଜଣେ ନବ ବିବାହିତ ଯୁବକ ବିବାହ ଭାର ସହିତ ଉପହାର ଭାବେ ଘରକୁ ଖଟ ଆଣିଥିଲେ। ମାତ୍ର ସେଥିରେ ଶୋଇବା ବେଳକୁ ଖଟ ଓଲଟି ପଡ଼ିଥିଲା ଓ ନବ ଦମ୍ପତି ଅପଦସ୍ତ ହୋଇଥିଲେ। ସେହିପରି ଦେହୁରୀ(ପୂଜକ)ଙ୍କୁ ମଧ୍ୟ ସ୍ୱପ୍ନ ହୋଇଥିଲା। ଫଳରେ ନବ ଦମ୍ପତି ଉକ୍ତ ଖଟକୁ ବ୍ୟବହାର ନକରି
କନ୍ୟାପିତାଙ୍କ ଘରକୁ ଫେରାଇ ଦେଇଥିଲେ। ଏହି ସବୁ କାରଣରୁ ଘରେ ଖଟ ନଥିବାରୁ କୌଣସି ଅତିଥି ଆସିଲେ ସେମାନଙ୍କୁ ଛୋଟ ବଡ଼ ପଟିଆ ବା ମଶିଣା ବସିବା ପାଇଁ ଦିଆ ଯାଇଥାଏ। ଗ୍ରାମକୁ କୌଣସି ନିର୍ବାଚିତ ଲୋକ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ ପହଞ୍ଚିଲେ ବି ବସିବା ପାଇଁ ସେମାନଙ୍କୁ ଖଟ ଦିଆ ନଯାଇ ପଟିଆ ଦେଇ ଅଭ୍ୟର୍ଥନା ପ୍ରଦାନ କରା ଯାଇଥାଏ। ଗ୍ରାମରେ ଅଧିକାଂଶ କିସାନ ସଂପ୍ରଦାୟର ଲୋକେ ରହୁଥିବା ବେଳେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ବରିହାଣୀଙ୍କୁ ମାନନ୍ତି। ଏଣୁ ତାଙ୍କୁ ସମ୍ମାନ ଜଣାଇ ଗ୍ରାମବାସୀ ମାନେ ଆବାହମାନ କାଳରୁ କେବେ ବି ଖଟରେ ଶୋଉନଥିବା କହିଛନ୍ତି। ନାଳ କଡ଼ରେ ପୂଜା ପାଉଥିବା ମା’ ବରିହାଣୀଙ୍କ ଦେହୁରୀ(ପୂଜକ) ଦୀନବନ୍ଧୁ କାଲୋ(ନାୟକ)ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ଖଟର ବିକଳ୍ପ ଭାବେ ଗ୍ରାମବାସୀ ପଟିଆ ବ୍ୟବହାର କରୁଥିବାରୁ ସମସ୍ତଙ୍କ ଘରେ ପଟିଆ ଆବଶ୍ୟକ ହୋଇଥାଏ। ଏଣୁ ଆବଶ୍ୟକତା ପୂରଣ ପାଇଁ ପ୍ରତ୍ୟେକ ପରିବାରର ସଦସ୍ୟ ସଦସ୍ୟା ମାନେ ଜଙ୍ଗଲକୁ ଯାଇ ଖଜୁରୀ ପାଲ ସଂଗ୍ରହ କରିବା ସହ ଏହାକୁ ଶୁଖାଇ ପଟିଆ ତିଆରି କରିଥାନ୍ତି। ଆବଶ୍ୟକତା ଅନୁଯାୟୀ ପଟିଆ ବ୍ୟବହାର କରିବା ପରେ ଅବଶିଷ୍ଟ ପଟିଆକୁ ବଜାରରେ ବିକ୍ରି କରି ଭଲ ଦି ପଇସା ରୋଜଗାର ମଧ୍ୟ କରନ୍ତି। ଫଳରେ ଧାନଚାଷ ପରେ ପଟିଆ ବିକ୍ରି ହିଁ ସେମାନଙ୍କ ପାଇଁ ଆୟର ଦ୍ୱିତୀୟ ପନ୍ଥା ହୋଇପଡ଼ିଛି। ଏଣୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେମାନେ ଅଧିକରୁ ଅଧିକ ପଟିଆ ତିଆରି କରି ପରିବାର ପ୍ରତିପୋଷଣ କରିପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି।

Related Articles

Back to top button