ଉଭୟ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡ ପାଇଁ କୋର୍ଟରେ ଇଡି
ଭୁବନେଶ୍ୱର: ଫିଟିବ ନାଗ ଦମ୍ପତିଙ୍କ ଗୁମର । ଉଭୟ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ଆଣିବାକୁ ଇଡି କୋର୍ଟରେ ପହଞ୍ଚିଛି । ଗତକାଲି ଅର୍ଚ୍ଚନାଙ୍କ ୭ ଦିନିଆ ରିମାଣ୍ଡ ସରିଥିବା ବେଳେ ଆଜି କଡ଼ା ସୁରକ୍ଷା ବଳୟରେ ଅର୍ଚ୍ଚନାଙ୍କୁ ପୁଲିସ କୋର୍ଟରେ ହାଜର କରିଛି । ସେପଟେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ କୋର୍ଟରେ ହାଜର କରିଛି ପୁଲିସ । ଜଗବନ୍ଧୁଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି । ଅର୍ଚ୍ଚନାଙ୍କୁ ମଧ୍ୟ ପୁଣି ଥରେ ଇଡି ରିମାଣ୍ଡରେ ନେଇପାରେ ।
୭ ଦିନିଆ ରିମାଣ୍ଡରେ ଯାଇଥିବା ଅର୍ଚ୍ଚନା ଇଡି ନିକଟରେ ମୁହଁ ଖୋଲି ନ ଥିବା ବେଳେ ପୁଣି ଅର୍ଚ୍ଚନାଙ୍କୁ ଜୋରା କରିବାକୁ କୋର୍ଟରେ ଇଡି ଆବେଦନ କରିପାରେ । ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ଜେରା କରିଛି । ହେଲେ ଅର୍ଚ୍ଚନା କିଛି ମୁହଁ ଖୋଲିନଥିବା ଇଡି କହିଛି । କୌଣସି ପ୍ରସଙ୍ଗକୁ ନେଇ ଇଡିକୁ ସହଯୋଗ କରିନି ଅର୍ଚ୍ଚନା । ଗତକାଲି ରିମାଣ୍ଡର ଅବଧି ଶେଷ ହୋଇଥିବାରୁ ଆଜି ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରାଯାଇଛି । ସ୍ୱାମୀ ଜଗବନ୍ଧୁ ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି । ଇଡିର ଆବେଦନ ଅନୁସାରେ ଯଦି କୋର୍ଟ ଅନୁମତି ଦିଅନ୍ତି, ତେବେ ଇଡି ଉଭୟଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରାକରିବ । ଘଟଣାଉପରୁ ପରଦା ହଟାଇବାକୁ ପ୍ରୟାସ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ ।
ଗତ ୬ ତାରିଖରୁ ଅର୍ଚ୍ଚନାଙ୍କୁ ଇଡି ରିମାଣ୍ଡରେ ଆଣିଥିଲା । ରିମାଣ୍ଡରେ ଆଣିବା ପୂର୍ବରୁ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା ଇଡି । ସ୍ୱାସ୍ଥ୍ୟପରୀକ୍ଷା କରିବା ସମୟରେ ଅର୍ଚ୍ଚନା ଡାକ୍ତରଖାନାରୁ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ରଖିଥିଲେ । ତାଙ୍କୁ ସମୟ ମିଳିଲେ ସେ ସମସ୍ତ କଥା ତଥ୍ୟ ପ୍ରମାଣ ସହ କହିବେ ବୋଲି କହିଥିଲେ । ତାହାଛଡ଼ା ସେ ଆହୁରି କଧ୍ୟ କହିଥିଲେ ମୋତେ ମାତ୍ର ୩୦ ମିନିଟ୍ ସମୟ ଦରକାର । ମୋତେ ସମୟ ଦେଲେ ମୁଁ ସବୁ କହିବି । ମୁଁ କହିଲେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ ବୋଲି ଅର୍ଚ୍ଚନା ଗଣମାଧ୍ୟମ ଆଗରେ କହିଥିଲେ ।