ନ୍ୟୁଜିଲାଣ୍ଡ ଟେଷ୍ଟ ଟିମ ଅଧିନାୟକ ପଦ ଛାଡିଲେ ୱିଲିୟମସନ

ହାମିଲଟନ: ପାକିସ୍ତାନ ଗସ୍ତ ପୂର୍ବରୁ କେନ ୱିଲିୟମସନ ନ୍ୟୁଜିଲାଣ୍ଡ ଟେଷ୍ଟ ଟିମ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଟିମ ସାଉଦିଙ୍କୁ ନୂତନ ଅଧିନାୟକ ଓ ଟମ ଲାଥାମଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ନ୍ୟୁଜିଲାଣ୍ଡ ଟିମ ଆସନ୍ତା ସପ୍ତାହରେ ପାକିସ୍ତାନ ଗସ୍ତରେ ଯିବ । ସାଉଦି ୩୪୬ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ ୨୨ଟି ଟି୨୦ରେ ଦଳର ନେତୃତ୍ୱ ନେଇଛନ୍ତି । ଲାଥାମ ମଧ୍ୟ ୱିଲିୟମସନଙ୍କ ଅନୁପସ୍ଥିତିରେ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ୨୦୧୬ରେ ବ୍ରେଣ୍ଡନ ମ୍ୟାକକୁଲାମଙ୍କ ପରେ ୱିଲିୟମସନ ଦଳର ନେତୃତ୍ୱ ନେଇଥିଲେ ।

ନ୍ୟୁଜିଲାଣ୍ଡ ଟେଷ୍ଟ ଟିମ ଅଧିନାୟକ ହେବା ମୋ ପାଇଁ ଗର୍ବର ବିଷୟ । ମାତ୍ର ପରିଣତ ବୟସରେ ଏକକାଳୀନ ଅନେକଗୁଡିଏ ଦାୟିତ୍ୱ ତୁଲାଇବା ସମ୍ଭବପର ହୋଇ ନ ଥାଏ । ସେଥିପାଇଁ ଅନିଚ୍ଛା ସତ୍ୱେ ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି କହିଛନ୍ତି । ସେ ୩୮ ଟେଷ୍ଟରେ ଦଳର ନେତୃତ୍ୱ ନେଇଥିବା ବେଳେ ଏଥିରେ ୨୨ଟିରେ ବିଜୟୀ କରାଇଛନ୍ତି । ତାଙ୍କ ନେତୃତ୍ୱରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଜିତିଥିଲା । ପାକିସ୍ତାନ ଗସ୍ତରେ ନ୍ୟୁଜିଲାଣ୍ଡ ୨ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ୨୬ ଡିସେମ୍ବରରୁ ପ୍ରଥମ ଟେଷ୍ଟ ଖେଳାଯିବ ।

Related Articles

Back to top button