ପୁରୀ ସହରରେ ବିଷାକ୍ତ ପାଣି ଯୋଗୁ ବ୍ୟାପିଲା ଝାଡ଼ାବାନ୍ତି

ପୁରୀ: ପୁରୀରେ ବିଷାକ୍ତ ପାଣି ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ଜୀବନ ହରାଇଛନ୍ତି ଜଣେ ସେବାୟତଙ୍କ ପରିବାର ସଦସ୍ୟ। ପେଟ ରୋଗରେ ପିଡ଼ିତ ହୋଇ ବାସନ୍ତୀ ଦାଶ ଆଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ବିଷାକ୍ତ ପାଣି ପିଇ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସହରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଥିବାରୁ ସମ୍ପୃକ୍ତ ଅଞ୍ଚଳକୁ ପାଣି ପାଇପ୍ କଟାଯାଇଥିଲା। ଏହାପରେ ପାଣି ପାଇଁ ଅନ୍ୟ ବ୍ୟବସ୍ଥା କରାଯାଇଥିଲା ।

ତେବେ ଏହି ପାଣି ଦୂଷିତ ବୋଲି କୁହାଯାଉଛି, ଯେଉଁ କାରଣରୁ ବର୍ତ୍ତମାନ ପୁରୀର ବାସେଳି ସାହିକୁ ଲାଗି ରହିଥିବା ଅନ୍ୟ ୬ଟି ସାହିରେ ଝାଡ଼ାବାନ୍ତି ବ୍ୟାପିଥିବା ଅଭିଯୋଗ ହୋଇଛି । ତେବେ ସହରରେ ଝାଡାବାନ୍ତି ରୋଗର ସଂକ୍ରମଣ ପ୍ରଭାବ ଏଯାଏଁ ସ୍ୱାଭାବିକ ହୋଇନାହିଁ । ଗତକାଲି ଏହି ରୋଗରେ ଆକ୍ରାନ୍ତ ଆଉ ୪୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ଥିତିକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗର ସର୍ଭେ ଦଳ ସଂକ୍ରମିତ ଅଞ୍ଚଳ ଗସ୍ତ କରିଛନ୍ତି । କେବଳ ବାସେଳି ସାହିରେ ୧୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ବାସେଳି ସାହିକୁ ଲାଗି ରହିଥିବା ଅନ୍ୟ ୬ଟି ସାହିରେ ୩୩ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି ।

ଚିକିତ୍ସକଙ୍କ ପରାମର୍ଶ ମୁତାବକ ସେମାନେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି । ସଂକ୍ରମିତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସ୍ୱଭାବିକ୍ ହୋଇଛି । ମାଟି ତଳେ ପୋତା ଯାଇଥିବା ପାଇପ୍ ଲାଇନକୁ ସଫା କରାଯାଉଛି । ସଂକ୍ରମିତ ଅଞ୍ଚଳର ୯ଟି ସ୍ଥାନରୁ ସଂଗୃହିତ ଜଳ ନମୂନା ରିପୋର୍ଟ ପ୍ରଦୂଷଣ ମୁକ୍ତ ଆସିଛି । ବାସେଳି ସାହିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁଇକ୍ ରେସପନ୍ସ ଟିମ୍ ସମେତ ଆମ୍ବୁଲାନ୍ସକୁ ସଜାଗ ରଖାଯାଇଛି । ସଂକ୍ରମିତ ଅଞ୍ଚଳରେ ଆଶା ଦିଦି, ଆୟୁଷ ଟିମ୍ , ପାରାମେଡିକାଲ ଓ ସ୍ୱାସ୍ଥ୍ୟ ବିଭାଗର କର୍ମୀମାନେ ଘର ଘର ବୁଲି ସର୍ଭେ ଜାରି ରଖିଛନ୍ତି ବୋଲି ପୁରୀ ସିଡିଏମଓ ଡାକ୍ତର ସୁଜାତା ମିଶ୍ର କହିଛନ୍ତି ।

Related Articles

Back to top button