ସମ୍ବଲପୁରରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ବିଜେପି

ଭୁବନେଶ୍ୱର: ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ହିଂସା ଘଟଣାରେ ଗିରଫ ଓକିଲଙ୍କୁ ମୁକ୍ତ କରି ସେମାନଙ୍କର ଲାଇସେନ୍ସ ସଚଳ କରିବା ନିମନ୍ତେ ବ୍ୟକ୍ତିଗତଭାବେ ହସ୍ତକ୍ଷେପ କରିବା ଲାଗି ଆଜି ବିଜେପିର ୫ ଜଣ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି। ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ଜୁଏଲ ଓରାମ, ସଙ୍ଗୀତା ସିଂହଦେଓ ଏବଂ ନୀତେଶ ଗଙ୍ଗଦେବ ଓଡ଼ିଶାର ପଶ୍ଚିମାଞ୍ଚଳରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ କରାଯିବା ସଂକ୍ରାନ୍ତରେ ଫଳପ୍ରଦ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତି।

ଆଜି ନୂଆଦିଲ୍ଲୀଠାରେ ବିଜେପି ସାଂସଦମାନେ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଏ ସମ୍ପର୍କରେ ସୂଚନା ଦେବା ସହ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସାଂସଦ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟ ସରକାରଙ୍କ ନିରବତା ଯୋଗୁଁ ଏଭଳି ଘଟଣା ଘଟିଛି । ରାଜ୍ୟ ସରକାର ଠିକ୍‍ ସମୟରେ ପଦକ୍ଷେପ ନେଇଥିଲେ ଏଭଳି ହୋଇ ନ ଥାନ୍ତା ବୋଲି ସେ କହିଛନ୍ତି । ଓକିଲମାନେ କୋର୍ଟ କାର୍ଯ୍ୟରେ ସହଯୋଗ ନ କଲେ ଅଦାଲତ କିପରି ଚାଲିବ ବୋଲି ସାଂସଦ ଶ୍ରୀ ପୂଜାରୀ ପ୍ରଶ୍ନ କରିଛନ୍ତି । ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଏବଂ ଆଇନ୍‍ଜୀବୀଙ୍କ ଗିରଫଦାରୀ ବନ୍ଦ କରିବାକୁ ସେ ଦାବି କରିଛନ୍ତି।

ତେବେ ହାଇକୋର୍ଟ ବେଞ୍ଚ ଦାବି ବିଷୟ ଆଜି ସଂସଦରେ ଉଠିଛି। ସମ୍ବଲପୁରରେ ୧୨ ତାରିଖରେ ଯେଉଁଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା ଓ ତତ୍ ପରବର୍ତ୍ତି ସମୟର ଘଟଣାବଳୀ ଘଟିଲା, ସେଥିରେ ହସ୍ତକ୍ଷେପ କରି ସ୍ବାଭାବିକ ପରିସ୍ଥିତି ଆଣିବା ଦିଗରେ ପ୍ରୟାସ ପାଇଁ କେନ୍ଦ୍ର ଆଇନ ମନ୍ତୀଙ୍କୁ ନିବେଦନ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ।

Related Articles

Back to top button